ନୂଆଦିଲ୍ଲୀ: ହାଇକୋର୍ଟ ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମ୍‌କୋର୍ଟ ପରସ୍ପରକୁ ଦୋଷାରୋପ କରିବା ଅବ୍ୟାହତ ରହିଛି। ଏହା ଭିତରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଆଇନ ଓ ନ୍ୟାୟ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିକୁ କହିଛି ଯେ ହାଇକୋର୍ଟଗୁଡ଼ିକରେ ବିଚାରପତି ନିଯୁକ୍ତି ନିମନ୍ତେ ବିଭିନ୍ନ ହାଇକୋର୍ଟ କଲେଜିୟମ୍ ଯେଉଁ ପ୍ରସ୍ତାବ ପଠାଉଛନ୍ତି ସେଥିମଧ୍ୟରୁ ୩୦ ପ୍ରତିଶତ ପ୍ରସ୍ତାବକୁ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଖାରଜ କରିଦେଉଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୧ ମସିହାରେ ବିଭିନ୍ନ ହାଇକୋର୍ଟ କଲେଜିୟମ୍ ପକ୍ଷରୁ ବିଚାରପତି ନିଯୁକ୍ତି ନିମନ୍ତେ ୨୫୧ ଜଣଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ୨୦୨୨ ମେ ୨୬ ସୁଦ୍ଧା ବିଭିନ୍ନ ହାଇକୋର୍ଟରେ ୧୪୮ ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ୭୪ ଜଣଙ୍କ ନାମ ସୁପ୍ରିମ୍‌କୋର୍ଟ ସୁପାରିସ କରିନାହିଁ। ବାକି ୨୯ ଜଣଙ୍କ ନାମ ବିଭିନ୍ନ ସ୍ତରରେ ବିଚାରାଧୀନ ଅବସ୍ଥାରେ ରହିଛି। ସୁତରାଂ ସୁପ୍ରିମ୍‌କୋର୍ଟ କଲେଜିୟମ୍ ସ୍ତରରେ ୩୦% ନାମ କଟିଯାଉଛି ବୋଲି ଆଇନ ମନ୍ତ୍ରଣାଳୟ ପ୍ରକାଶ କରିଛି।

Advertisment

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ପ୍ରଥମ ଭୂମିକା ହେଉଛି ସମ୍ପୃକ୍ତ ହାଇକୋର୍ଟଙ୍କର। ବିଚାରପତି ପଦ ଖାଲି ହେବାର ଥିଲେ ସେହି ସ୍ଥାନ ପୂରଣ କରିବା ପାଇଁ ଛଅମାସ ପୂର୍ବରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ କଲେଜିୟମ୍ ସୁପ୍ରିମ୍‌କୋର୍ଟ କଲେଜିୟମ୍‌କୁ ପ୍ରସ୍ତାବ ଦେବେ। ସୁପ୍ରିମ୍‌କୋର୍ଟ କଲେଜିୟମ୍ ପ୍ରସ୍ତାବିତ ବ୍ୟକ୍ତିଙ୍କ ଯୋଗ୍ୟତା, ଦକ୍ଷତା ଆଦି ବିଚାର କରି ସରକାରଙ୍କୁ ସୁପାରିସ କରି‌ବେ। ସରକାର ଏହାକୁ ମଂଜୁର କଲେ ବିଚାରପତି ନିଯୁକ୍ତି ହେବ। କିନ୍ତୁ ପ୍ରତ୍ୟେକ ସ୍ତରରେ ବିଳମ୍ବ ଘଟୁଛି। ପ୍ରାଥମିକ ସ୍ତରରେ ୫୫ ପ୍ରତିଶତ ଖାଲିସ୍ଥାନ ପୂରଣ ପାଇଁ ହାଇକୋର୍ଟଗୁଡ଼ିକ ପ୍ରସ୍ତାବ ଦେଇନାହାନ୍ତି। ଆପରାଧିକ ଅଭିଯୋଗ ଆଦି ଥିଲେ କିଛି ନାମକୁ ସରକାର ମଧ୍ୟ ଅନୁମୋଦନ ଦିଅନ୍ତି ନାହିଁ। ମନ୍ତ୍ରଣାଳୟର କହିବା ଅନୁସାରେ ୨୦୨୨ ନଭେମ୍ବର ୨୫ ସୁଦ୍ଧା ୨୪ଟି ହାଇକୋର୍ଟରେ ୩୩୧ଟି ବିଚାରପତି ପଦବି ଖାଲି ଥିଲା। ସେହି ହାଇକୋର୍ଟଗୁଡ଼ିକରେ ୧୪୮ଟି ପଦବି ପୂରଣ କରାଯାଇଛି। ବାକି ୧୮୩ଟି ପଦବି ୧ରୁ ୫ ବର୍ଷ ଯାଏ ଖାଲି ପଡ଼ିଛି।