ତାମିଲନାଡ଼ୁ ବ୍ୟକ୍ତିର ମୃତ୍ୟୁଦଣ୍ଡକୁ ୨୦ ବର୍ଷିଆ ଜେଲଦଣ୍ଡରେ ପରିବର୍ତ୍ତନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୨୦୦୯ରେ ଜଣେ ୭ ବର୍ଷର ବାଳକକୁ ଅପହରଣ କରି ହତ୍ୟା କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ଜଣେ ତାମିଲନାଡ଼ୁ ବ୍ୟକ୍ତିର ଦଣ୍ଡ କୋହଳ କରି ସୁପ୍ରିମ୍‌କୋର୍ଟ ତାକୁ ୨୦ ବର୍ଷର ଜେଲଦଣ୍ଡାଦେଶ ଦେଇଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ହିମା କୋହଲି ଓ ପିଏସ୍ ନରସିଂହଙ୍କ ତିନିଜଣିଆ ବେଞ୍ଚ ଦୋଷୀସାବ୍ୟସ୍ତ ସୁନ୍ଦରରାଜନର ରିଭ୍ୟୁ ପିଟିସନର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି। ସୁନ୍ଦରରାଜନ ୨୦୦୯ରେ ଜଣେ ୭ ବର୍ଷର ବାଳକକୁ ତା’ ମା ଦେହ ଖରାପ, ତାକୁ ଡାକ୍ତରଖାନା ଯିବାକୁ ପଡ଼ିବ କହି ବାଇକରେ ବସାଇ ଅପହରଣ କରି ନେଇଥିଲା। ବାଳକଟି ତାଙ୍କ ବାପାମାଆଙ୍କର ଏକମାତ୍ର ପୁତ୍ର।

ସୁନ୍ଦରରାଜନ ବାଳକର ବାପାଙ୍କୁ ପୁଅର ଜୀବନ ବିନିମୟରେ ୫ ଲକ୍ଷ ଟଙ୍କା ମାଗିଥିଲା। ସେ ଟଙ୍କା ଦେଇ ନ ପାରିବାରୁ ସୁନ୍ଦରରାଜନ ବାଳକକୁ ତଣ୍ଟିଚିପି ହତ୍ୟା କରିଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ମୃତ୍ୟୁଦଣ୍ଡାଦେଶ ହୋଇଥିଲା। ୨୦୧୩ରେ ମଧ୍ୟ ସୁପ୍ରିମ୍‌କୋର୍ଟ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ଏହାର ୫ ବର୍ଷ ପରେ ସୁପ୍ରିମ୍‌କୋର୍ଟ ସୁନ୍ଦରରାଜନର ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ରାଜି ହୋଇଥିଲେ। ଶେଷରେ ମଙ୍ଗଳବାର ପ୍ରଧାନବିଚାରପତିଙ୍କ ସମେତ ତିନିଜଣିଆ ବେଞ୍ଚ ଦଣ୍ଡ କୋହଳ କରି ମୃତ୍ୟୁଦଣ୍ଡକୁ ୨୦ ବର୍ଷିଆ ଜେଲଦଣ୍ଡରେ ପରିଣତ କରିଛନ୍ତି।

ସମ୍ବନ୍ଧିତ ଖବର