ନୂଆଦିଲ୍ଲୀ: ଉତ୍ତର ଭାରତର ବନ୍ୟାଗ୍ରସ୍ତ ରାଜ୍ୟମାନଙ୍କର ସାଂପ୍ରତିକ ସ୍ଥିତି ଏବଂ ପରିବେଶ ବିପଦକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି।  ଭୟାନକ ବନ୍ୟାରେ ପ୍ରଭାବିତ ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରରେ ବେଆଇନ ଗଛ କଟାଯିବା ଅତି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ବୋଲି  ସୁପ୍ରିମ୍‌କୋର୍ଟ କହିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର ଓ ସମସ୍ତ ପ୍ରଭାବିତ ରାଜ୍ୟଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟ ନିଜଆଡୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ସରକାରଙ୍କୁ ଜବାବ ମାଗିଛନ୍ତି। ଅବାଧ ଗଛ କଟା ଯୋଗୁଁ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବଢ଼ୁଥିବାରୁ କୋର୍ଟ ଏ ନେଇ ବିସ୍ତୃତ ତଥ୍ୟ ଓ ପ୍ରତିକାର ବ୍ୟବସ୍ଥା ମଧ୍ୟ ଲୋଡ଼ିଛନ୍ତି।

Advertisment

ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ଜରୁରୀ
କେନ୍ଦ୍ର ଓ ବନ୍ୟାଗ୍ରସ୍ତ ରାଜ୍ୟମାନଙ୍କୁ ନୋଟିସ୍‌

ପ୍ରଧାନ ବିଚାରପତି ଜଷ୍ଟିସ୍‌ ବି.ଆର୍‌. ଗୱାଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ପାହାଡ଼ିଆ ଅଞ୍ଚଳରେ ଅନିୟନ୍ତ୍ରିତ ଗଛ କଟା ଯୋଗୁଁ ପରିବେଶରେ ବିପର୍ଯ୍ୟୟ ସୃଷ୍ଟି ହେଉଛି ଏବଂ ଏହା ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକର ମୂଳ କାରଣ ପାଲଟିଛି। ଏହି ଅଞ୍ଚଳଗୁଡ଼ିକରେ ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଆସିବା ପରେ ଅଦାଲତ ଏହି ପଦକ୍ଷେପ ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି ଯେ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ଅନ୍ୟଥା ଅତି ଭୟାନକ ସ୍ଥିତିକୁ ସାମନା କରିବାକୁ ପଡ଼ିବ। ଅବାଧ  ଗଛ କଟା ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ଏ ବାବଦ ନିୟମର ଖୋଲାଖୋଲି ଉଲ୍ଲଂଘନ ବିସ୍ମୟକର ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟ ସରକାରମାନେ ବେଆଇନ ଗଛକଟା ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ  କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ   କହିଛନ୍ତି ଯେ  ପରିବେଶ ସୁରକ୍ଷା ନିମନ୍ତେ ସମସ୍ତ ନିୟମ କଡ଼ାକଡ଼ି ପାଳନ କରାଯିବା ଉଚିତ। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ସେଠାରେ ଅବାଧ ଗଛକଟା ଏହି ସମସ୍ୟାକୁ ଜଟିଳ କରିଛି।