ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର ଓ ପଞ୍ଜାବ ସମେତ ଦେଶର ୮ଟି ରାଜ୍ୟ ଶତାଧିକ ମାମଲାରେ ସିବିଆଇ ତଦନ୍ତ ଲାଗି ଅନୁମତି ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ଏହା ବିରୋଧରେ ନିଜ ତରଫରୁ (ସୋ ମଟୋ) ଜନସ୍ବାର୍ଥ ମାମଲା ପଞ୍ଜୀକୃତ କରିବା ସପକ୍ଷରେ ସୋମବାର ସୁପ୍ରମ୍‌କୋର୍ଟ ରାୟ ଦେଇଛନ୍ତି ଏବଂ ସଂପୃକ୍ତ ରାଜ୍ୟମାନଙ୍କର ଆଭିମୁଖ୍ୟକୁ ଭର୍ତ୍ସନା କରିଛନ୍ତି।

Advertisment

‘ସିବିଆଇକୁ ତଦନ୍ତରୁ ରୋକିବା କାର୍ଯ୍ୟ ନିଶ୍ଚିତରୂପେ ଏକ ଗ୍ରହଣୀୟ ସ୍ଥିତି ନୁହେଁ’ ବୋଲି ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଏବଂ ଏମ୍‌ଏମ୍‌ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଥିଲେ। କାରଣ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲ ଦେଇଥିବା ତଥ୍ୟ ଅନୁସାରେ ୮ଟି ରାଜ୍ୟ ତାଙ୍କ ରାଜ୍ୟ ଭିତରେ ପଶି ସ୍ବାଭାବିକ ଭାବେ ତଦନ୍ତ କାର୍ଯ୍ୟ ଚଳାଇବା ପାଇଁ ସିବିଆଇଠାରୁ ସାଧାରଣ ସମ୍ମତି ପ୍ରତ୍ୟାହାର କରିନେଇଛନ୍ତି। ସାଧାରଣ ସମ୍ମତି ନ ଥିବାରୁ ସେମାନେ ସମ୍ମତି ଦେଲେ ଯାଇ ସିବିଆଇ ତଦନ୍ତ ଆରମ୍ଭ କରିବ। କିନ୍ତୁ ସେମାନେ ସମ୍ମତି ଦେଉନାହାନ୍ତି ବା ଦେବାରେ ଅହେତୁକ ବିଳମ୍ବ କରୁଛନ୍ତି। ତେଣୁ ଶତାଧିକ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ସିବିଆଇ ଆରମ୍ଭ କରିପାରୁ ନାହିଁ।

ବହୁ ବଡ଼ ଅର୍ଥନୈତିକ ଅପରାଧର ପ୍ରମାଣ ସିବିଆଇ ପାଖରେ ଥିଲେ ମଧ୍ୟ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଉ ନ ଥିବାରୁ ତଦନ୍ତ ହୋଇପାରୁ ନାହିଁ ଏବଂ ଅପରାଧୀ ନାହିରେ ତେଲ ଦେଇ ଶୋଉଛନ୍ତି କିମ୍ବା ନିଶ ଫୁଲେଇ ରାଜରାସ୍ତାରେ ଚାଲୁଛନ୍ତି। ଖଣ୍ଡପୀଠ ଏହାକୁ ଏକ ସାଂଘାତିକ ଅବସ୍ଥା ବୋଲି ପ୍ରକାଶ କରିଛନ୍ତି। ଏହାପରେ ନିଜ ତରଫରୁ ପିଆଇଏଲ୍‌ ପଞ୍ଜୀକରଣ ନେଇ ଖଣ୍ଡପୀଠ କହିଥିଲେ ଯେ, ପ୍ରସଙ୍ଗ ପ୍ରଧାନ ବିଚାରପତିଙ୍କ ଆଗରେ ଉପସ୍ଥାପିତ ହେବା ଦରକାର। ସେ ଏହାର ବିଚାର କରି ଉପଯୁକ୍ତ ଆଦେଶ ଦେବେ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩ ତାରିଖରେ ସିବିଆଇ ପାଖରେ କେତେ ମାମଲା ବିଚାରାଧୀନ ଅଛି, କେତେ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛି ଇତ୍ୟାଦି ବିଷୟରେ ବିବରଣୀ ପ୍ରଦାନ କରିବା ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଥିଲେ। ଏହାର ଉତ୍ତରରେ ଅକ୍ଟୋବର ୧୮ରେ ସିବିଆଇ ଏ ସମ୍ପର୍କରେ ଏକ ସତ୍ୟପାଠ ମାଧ୍ୟମରେ ଜବାବ ରଖିଥିଲେ। ଗତ ୧୦ ବର୍ଷରେ ସଫଳତା ବା ଦୋଷୀ ସାବ୍ୟସ୍ତ ହାର ୬୫-୭୦% ଥିବା ବେଳେ ଅଗଷ୍ଟ ୨୦୨୨ ସୁଦ୍ଧା ଏହାକୁ ୭୫% କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜୟସ୍ବାଲ କହିଥିଲେ। କିନ୍ତୁ ଅନେକ ରାଜ୍ୟ ସାଧାରଣ ସମ୍ମତି ପ୍ରତ୍ୟାହାର କରିନେଇଥିବାରୁ ପ୍ରତ୍ୟେକ ମାମଲାର ତଦନ୍ତ ପାଇଁ ରାଜ୍ୟଗୁଡ଼ିକର ଅନୁମତି ନେବାକୁ ପଡ଼ୁଛି ଏବଂ ଅନେକ ସ୍ଥଳେ ସେହି ଅନୁମତି ଅହେତୁକ ବିଳମ୍ବରେ ମିଳୁଛି ବା ଆଦୌ ମିଳୁନାହିଁ। ତଦନ୍ତ ପାଇଁ ଅନୁମତି ମିଳିବାରେ ବିଳମ୍ବ ହେଉଥିବାରୁ ତା’ ଭିତରେ ଅପରାଧୀମାନେ ତଥ୍ୟ-ପ୍ରମାଣ ନଷ୍ଟ କରିଦେଉଛନ୍ତି ଏବଂ ଖସିଯିବାକୁ ବାଟ ପାଇଯାଉଛନ୍ତି।