ସୁପ୍ରିମ କୋର୍ଟ ବିବାଦର ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ: ଆଟର୍ଣ୍ଣି ଜେନେରାଲଙ୍କ ୟୁ ଟର୍ଣ୍ଣ

ନୂଆଦିଲ୍ଲୀ, : ସୁପ୍ରିମକୋର୍ଟର ବିଭିନ୍ନ ଖଣ୍ଡପୀଠରେ ମାମଲା ଆବଣ୍ଟନରେ ଆପତ୍ତି ଉଠାଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଶୁକ୍ରବାର ୪ ଜଣ ବରିଷ୍ଠ ବିଚାରପତି ଖୋଲାଖୋଲି ବିଦ୍ରୋହ ଘୋଷଣା କରିିବାର ତିନି ଦିନ ପରେ ବିବାଦର ସମାଧାନ ହୋଇଯାଇଛି ବୋଲି ଗତକାଲି ଆଟର୍ଣ୍ଣି ଜେନେରାରଲ କେ କେ ବେଣୁଗୋପାଳ ଯେଉଁ ବୟାନ ଦେଇଥିଲେ ଆଜି ସେଥିରେ ୟୁ ଟର୍ଣ୍ଣ ନେଇଛନ୍ତି। ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ କହିଛନ୍ତି ଯେ ସୁପ୍ରିମ କୋର୍ଟ ବିବାଦ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ସମାଧାନ ହୋଇଯିବ ବୋଲିି କହି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଯେ ଏବେ ବି ବିବାଦ ରହିଛି, ତାହାର ସିଧାସଳଖ ସୂଚନା ଦେଇଛନ୍ତି ଶ୍ରୀ ବେଣୁଗୋପାଳ।


ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖ ଦିନ ସୁପ୍ରିମ୍‌ କୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଜେ. ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍‌ବି ଲୋକୁର୍‌ ଏବଂ କୁରିଆନ୍‌ ଜୋସେଫ୍‌ ପ୍ରମୁଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା। ପରେ ଏହି ବିବାଦର ସମାଧାନ ପାଇଁ ବାର କାଊନସିଲ ଅଫ୍‌ ଇଣ୍ଡିଆ ଓ ସୁପ୍ରିମ୍‌ କୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ଉଦ୍ୟମ ହୋଇଥିଲା। ତେବେ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟର ପ୍ରମୁଖ ବିଚାରପତିଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୪ ଜଣ ବରିଷ୍ଠ ବିଚାରପତି ସେମାନଙ୍କ କୋର୍ଟକାର୍ଯ୍ୟରେ ଯୋଗଦେଇଥିବା ବେଳେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ବୋଲି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଥିଲେ। ଏହି ଘଟଣା କେବଳ ଚା’ କପ୍‌ରେ ଝଡ଼ ସଦୃଶ ଥିଲା ବୋଲି ବେଣୁଗୋପାଳ ଆଖ୍ୟା ଦେଇଥିଲେ। ଆଟର୍ଣ୍ଣି ଜେନେରାଲ୍‌ଙ୍କ କହିବା ଅନୁଯାୟୀ, ସେହି ୪ ଜଣ ବରିଷ୍ଠ ବିଚାରପତିଙ୍କ ଗତ ୧୨ ତାରିଖର ଗଣମାଧ୍ୟମ ସମ୍ମିଳନୀ ପରେ ଗତକାଲିି(ସୋମବାର) ପଡ଼ିଥିବା ପ୍ରଥମ କାର୍ଯ୍ୟଦିବସରେ ହିଁ ସେମାନେ ସ୍ୱାଭାବିକ ଭାବରେ ନିଜ କାର୍ଯ୍ୟରେ ଯୋଗଦେଇଥିଲେି। ସୁତରାଂ ସବୁକିଛି ସମସ୍ୟାର ସମାଧାନ ହୋଇଯାଇଛି ବୋଲି ଧରିନେବାକୁ ହେବ ବୋଲି ବେଣୁଗୋପାଳ କହିଥିଲେ। ତେବେ ଆଜି ଶ୍ରୀ ବେଣୁ ଗୋପାଳ ନଜ ମନ୍ତବ୍ୟର ୟୁଟର୍ଣ୍ଣ ନେଇଛନ୍ତି। କହିଛନ୍ତି ଯେ ହଁ ମୁଁ ଭାବୁଛି ଏହି ବିବାଦର ସମାଧାନ ହୋଇ ନାହିଁ। ଅନ୍ତତଃ ଆଗାମୀ ୨/୩ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇଯିବ ବୋଲି ଅଶା କରୁଛି ବୋଲି ଶ୍ରୀ ବେଣୁଗୋପାଳ କହିଛନ୍ତି।

ସେହିପରି ସୁପ୍ରିମ୍‌ କୋର୍ଟ ବାର ସୋସିଏସନ୍‌ର ସଭାପତି ବିକାଶ ସିଂହ କହିଛନ୍ତି ଏହି ଆସନ୍ତା ୧ ସପ୍ତାହ ମଧ୍ୟରେ ସୁପ୍ରିମ କୋର୍ଟ ବିବାଦର ସମାଧାନ ହୋଇଯିବ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର