ସୁପ୍ରିମକୋର୍ଟ କେସ୍‌ ଫିକ୍ସିଂ ମାମଲା : ବିଚାରପତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେବ କି ନାହିଁ, ନିର୍ଣ୍ଣୟ କରିବେ ସାମ୍ବିଧାନିକ ବେଞ୍ଚ୍‌

ନୂଆଦିଲ୍ଲୀ: ଜଣେ କାର୍ଯ୍ୟରତ ବିଚାରପତିଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ବିଚାର ହେବ କି ନାହିଁ ତାହା ସାମ୍ବିଧାନିକ ବେଞ୍ଚ୍‌ ନିଷ୍ପତ୍ତି କରିବେ। ଗୁରୁବାର ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏପରି ଏକ ସ୍ୱର୍ଶକାତର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।

ଆଇନଜୀବୀ କାମିନୀ ଜୟସ୍ୱାଲଙ୍କ ଦ୍ୱାରା ଅଗତ ଏକ ଆବେଦନର ଶୁଣାଣି କରି ଜଷ୍ଟିସ ଚେଲାମେଶ୍ୱରଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ, ସୁପ୍ରିମକୋର୍ଟରେ କେସ୍‌ ଫିକ୍ସିଂ ମାମଲାରେ କୌଣସି ବିଚାରପତି ସମ୍ପୃକ୍ତ ଥିଲେ କି? ଏହାପରେ ମତ ରଖିଥିଲେ, ଯଦି ଏପରି ହୋଇଥାଏ, ତେବେ ଏହି ଅଭିଯୋଗର ଯାଞ୍ଚ ଅଦାଲତଙ୍କ ପକ୍ଷରୁ କରାଯିବ ନା ନାହିଁ ତାହା ସାମ୍ବିଧାନିକ ଖଣ୍ଡପୀଠ ନିଷ୍ପତ୍ତି ନେବେ।

ଉଲ୍ଲେଖଯୋଗ୍ୟ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଶର ବିଭିନ୍ନ ମେଡିକାଲ କଲେଜକୁ ଦିଆଯାଇଥିବା ସ୍ୱୀକୃତି ମାମଲାରେ ହୋଇଥିବା ଦୁର୍ନୀତିର ତଦନ୍ତ ସିବିଆଇ କରୁଛି। ଏହି ତଦନ୍ତ ସମୟ ସିବିଆଇ ଏପରି କିଛି ଦଲାଲଙ୍କୁ ଗିରଫ କରିଥିଲା, ଯେଉଁମାନେ ସୁପ୍ରିମକୋର୍ଟରେ କେସ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିଲେ। ଏହି ଅଭିଯୋଗରେ ସିବିଆଇ ବିଶ୍ୱନାଥ ଅଗ୍ରଓ୍ଵାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଦିଆଯାଇଥିବା ଏଫଆଇଆର୍‌ରେ ଦର୍ଶାଯାଇଥିଲା କି ସୁପ୍ରିମକୋର୍ଟରେ କେସ୍‌ ଫିକ୍ସିଂ ଏକ ର‍୍ୟାକେଟ ଦ୍ୱାରା କରାଯାଇଛି, ଯେଉଁଥିରେ ଓଡ଼ିଶା ହାଇକୋର୍ଟରେ ଜଣେ ଅବସରପ୍ରାପ୍ତ ବିଚାରପତି ସମ୍ପୃକ୍ତ ଅଛନ୍ତି। ଏହି ଏଫଆଇଆର୍‌ରେ ଉଲ୍ଲେଖଥିଲା କି ହାଓ୍ଵାଲା ଜରିଆରେ ମାମଲାରେ ସଂପୃକ୍ତଙ୍କ ଠାରୁ ଅର୍ଥ ନିଆଯାଇ ସୁପ୍ରିମକୋର୍ଟରେ କେସ୍‌ ଫିକ୍ସିଂ କରାଯାଉଥିଲା। ଆଶ୍ଚର୍ଯ୍ୟଜନକଭାବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ଜାମିନ ମିଳିଯିବା ସହ ଏହା ବିରୋଧରେ ସିବିଆଇ କୌଣସି ପିଟିସନ୍‌ ଦାଖଲ କରି ନଥିଲା।

ଏହି ଘଟଣାକୁ ଉଲ୍ଲେଖ କରି ଆଇନଜୀବୀ କାମିନୀ ଜୟସ୍ୱାଲ ସୁପ୍ରିମକୋର୍ଟରେ ଏକ ଆବେଦନ କରି ପକ୍ଷ ରଖିଥିଲେ କି ସର୍ବୋଚ୍ଚ ଅଦାଲତ ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଗୋଷ୍ଠୀ ଗଠନ କରି କିଏ ହାଓ୍ଵାଲା ଜରିଆରେ ବିଚାରପତି ନାମ ନେଇ ଅର୍ଥ ସଂଗ୍ରହ କରୁଛି ତାହା ଯାଞ୍ଚ କରନ୍ତୁ। ହୁଏତ ସିବିଆଇ ସୁପ୍ରିମକୋର୍ଟର କୌଣସି ବିଚାରପତିଙ୍କୁ ବ୍ଲାକ୍‌ମେଲ କରିବା ଲାଗି ଏପରି ଅଭିଯୋଗ ଆଣି ଥାଇ ପାରେ ଅଥବା କୌଣସି ବିଚାରପତି ଲାଞ୍ଚ ନେଉ ଥାଇପାରନ୍ତି। ଏହାର ଯାଞ୍ଚ ହେବା ଲାଗି ପ୍ରାର୍ଥନା କରିଥିଲେ ଆବେଦନକାରୀ।

କାମିନୀ ଜୟସ୍ୱାଲଙ୍କ ଆବେଦନର ବିଚାର କରି ଗୁରୁବାର ବିଚାରପତି ଚେଲାମେଶ୍ୱରଙ୍କ ଖଣ୍ଡପୀଠ ସିବିଆଇକୁ ଏହି ମାମଲାର ସମସ୍ତ ନଥିପତ୍ର ତୁରନ୍ତ ମୁଦା ଲଫାପାରେ ସାମ୍ବିଧାନିକ ବେଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଫଳରେ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିବ ନାହିଁ।

 

ସମ୍ବନ୍ଧିତ ଖବର