ମଦ ବୋତଲରେ ‘ଚେତାବନୀ’ ଲେଖା ରହିବ କି ? କଣ କହିଲେ ସୁପ୍ରିମକୋର୍ଟ ?

ନୂଆଦିଲ୍ଲୀ : ସିଗାରେଟ ପ୍ୟାକେଟ୍ ପରି ମଦ ବୋତଲରେ ବି ‘ଚେତାବନୀ ସୂଚକ ଲେଖା’ ରଖିବା ଅନୁରୋଧ କରି ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ସିଗାରେଟ ପ୍ୟାକେଟ ପରି ମଦ ବୋତଲରେ ବି ଚେତାବନୀ ସୂଚକ ଲେଖା ରହୁ ବୋଲି ଆଇନଜୀବୀ ଅଶ୍ବିନୀ କୁମାର ଉପାଧ୍ୟାୟ ଏ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ନିଜ ଆବେଦନରେ ସେ ଦର୍ଶାଇଥିଲେ ଯେ ସିଗାରେଟ ପରି ମଦ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏଣୁ କୋର୍ଟ ସରକାରଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

ନିଜ ଆବେଦନରେ ସେ ଆହୁରି ମଧ୍ୟ ଅନୁରୋଧ କରିଥିଲେ ଯେ, ମଦ ପ୍ରସ୍ତୁତି, ବିକ୍ରି ଓ ସେବନର ପରିବେଶଗତ ଓ ସ୍ବାସ୍ଥ୍ୟଗତ ପ୍ରଭାବ ସଂପର୍କରେ ଏକ ଅଧ୍ୟୟନ କରିବାକୁ ଦିଲ୍ଲୀ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।

ଏହାର ଶୁଣାଣି କରି ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ସିଗାରେଟ ଯେ ଶରୀର ପାଇଁ କ୍ଷତିକାରକ ସେ ସମ୍ପର୍କରେ ସମସ୍ତେ ସହମତ । କିନ୍ତ ମଦ ସଂପର୍କରେ ଭିନ୍ନ ଭିନ୍ନ ମତ ରହିଛି । କେତେକ ଭାବୁଛନ୍ତି ଅଳ୍ପ ଅଳ୍ପ ମଦ ପିଇବା ଶରୀର ପାଇଁ ଭଲ । ଏହା ପରେ ଏହି ଆବେଦନକୁ ପ୍ରତ୍ୟାହାର କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଥିଲେ ।

ତୁମେ ଏହି ଆବେଦନକୁ ପ୍ରତ୍ୟାହାର କର, ନୋହେଲେ ଆମେ ଏହାକୁ ଖାରଜ କରିବୁ । ଏହା ଏକ ନୀତିଗତ ମାମଲା “ ବେଞ୍ଚ୍ କହିଥିଲେ ।

ସମ୍ବନ୍ଧିତ ଖବର