ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲା ନେଇ ୨୯ ଜାନୁଆରିରେ ସୁପ୍ରିମ୍‌କୋର୍ଟରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଯାଇଛି। ଦୁଇ ଦିନ ପୂର୍ବରୁ ଏହି ମାମଲାର ଶୁଣାଣି ପାଇଁ ନୂତନ ୫ ଜଣିଆ ସମ୍ବିଧାନ ପୀଠ ଗଠନ ହୋଇଥିଲା। ତେବେ ଏହି ପୀଠରେ ଥିବା ବିଚାରପତି ଏସ୍‌ଏ ବୋବଡେ ୨୯ ତାରିଖରେ ଅନୁପସ୍ଥିତ ରହୁଥିବାରୁ ଶୁଣାଣି ହୋଇପାରିବ ନାହିଁ ଆଜି କୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ଗଠନ ହୋଇଥିବା ଖଣ୍ଡପୀଠାରୁ ଜଷ୍ଟିସ ୟୁ.ୟୁ. ଲଳିତ ଓହରିଯିବା ପରେ ପ୍ରଧାନ ବିଚାରପତି ରଂଜନ ଗୋଗଇ ନୂତନ ଖଣ୍ଡପୀଠ ଗଠନ କରିଥିଲେ। ଏବେ ୨୯ ତାରିଖର ଶୁଣାଣି ମଧ୍ୟ ଘୁଞ୍ଚାଇ ଦିଆଯାଇଛି ଏବଂ ପରବର୍ତ୍ତୀ ତାରିଖ ସଂପର୍କରେ ଆଗକୁ ନିଷ୍ପତ୍ତି ନିଆଯାଇଛି।

ଗତ ୨୫ ତାରିଖ ଦିନ ପ୍ରଧାନ ବିଚାରପତିଙ୍କ ଦ୍ବାରା ଗଠିତ ନୂତନ ସମ୍ବିଧାନ ପୀଠରେ ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଅବଦୁଲ ନାଜିର୍‌ଙ୍କୁ ସାମିଲ କରାଯାଇଥିଲା। ଗତ ୧୦ ତାରିଖ ଦିନ ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ମୁସ୍‌ଲିମ୍‌ ପକ୍ଷର ବରିଷ୍ଠ ଓକିଲ ରାଜୀବ ଧୱନ ଖଣ୍ଡପୀ‌ଠରେ ଜଷ୍ଟିସ ଲଳିତଙ୍କ ସଂପୃକ୍ତିକୁ ବିରୋଧ କରିବାରୁ ସେ ଏଥିରୁ ଓହରି ଯାଇଥିଲେ। ଏବେ ନୂତନ ପୀଠରେ ପ୍ରଧାନ ବିଚାରପତି, ଜଷ୍ଟିସ୍ ଏସ୍‌.ଏ. ବବଡ଼େ, ଡି.ୱାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌ ଏ. ନାଜିର ରହିଛନ୍ତି। ଶୁଣାଣିରେ ବିଳମ୍ବକୁ ନେଇ ବିଭିନ୍ନ ସଂଗଠନ ପ୍ରଶ୍ନ ଉଠାଇଥିବା ବେଳେ ଏବେ ପୁଣି ଶୁଣାଣି ଘୁଞ୍ଚିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଅଯୋଧ୍ୟା ବିବାଦର ଶୁଣାଣି ଉପରେ ସମଗ୍ର ଦେଶର ନଜର ରହିଛି। ଅଯୋଧ୍ୟା ମାମଲାରେ ଏବେ ୨୫୭ ଦସ୍ତାବିଜ (୧୩,୮୬୦ ପୃଷ୍ଠା) ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଛି। ହିନ୍ଦୀ, ଆରବୀୟ, ଗୁରୁମୁଖି ଏବଂ ଉର୍ଦୁ ଭାଷାରେ ଲିଖିତ ଏହି ଦସ୍ତାବିଜଗୁଡ଼ିକୁ ଇଂରାଜୀରେ ଅନୁବାଦ କରାଯାଇଛି।

ସମ୍ବନ୍ଧିତ ଖବର