ନୂଆଦିଲ୍ଳୀ: ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଦିଲ୍ଳୀ ମଦ ନୀତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Advertisment

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜଲ ଭୁୟାନଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ଏ ନେଇ ରାୟ ପ୍ରକାଶ କରିଛନ୍ତି। କେଜ୍ରିୱାଲ୍ ସିବିଆଇ ଦ୍ବାରା ହୋଇଥିବା ଗିରଫକୁ ଚ୍ୟାଲେଞ୍ଜ କରି ଜାମିନ ଆବେଦନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିପାରିବ ନାହିଁ ବୋଲି ଦର୍ଶାଇ କୋର୍ଟ ଅଗଷ୍ଟ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। କେଜ୍ରିୱାଲଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଡଭୋକେଟ ଅଭିଷେକ ସିଂହଭୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ମାଗିଥିଲେ।

ସିଂହଭୀ କହିଛନ୍ତି, “ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଆମେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଛୁ।’’ ଏହାର ଉତ୍ତରରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ‘‘ଅନ୍ତରୀଣ ଜାମିନ୍‌ ମିଳିପାରିବ ନାହିଁ’’।

ସିଂହଭୀ ଯୁକ୍ତି କରି କହିଛନ୍ତି, “ଯେତେବେଳେ ଇଡି ମାମଲାର ବିଚାର କରୁଥିଲା, ସିବିଆଇ ତାଙ୍କୁ ଗିରଫ କରିଥିଲା। ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି। ଏହି କାରଣରୁ ଆମେ ଅନ୍ତରୀଣ ଜାମିନ ପାଇଁ ଦାବି କରୁଛୁ। ” ଜଷ୍ଟିସ ସୂର୍ଯ୍ୟକାନ୍ତି ଏହାର ଉତ୍ତର ଦେଇ କହିଛନ୍ତି, “ଆମେ କୌଣସି ଅନ୍ତରୀଣ ଜାମିନ ପ୍ରଦାନ କରୁନାହୁଁ। ଆମେ ଏକ ନୋଟିସ୍ ଜାରି କରୁଛୁ।’’

ସିବିଆଇର ଗିରଫଦାରୀକୁ ଚ୍ୟାଲେଞ୍ଜ୍‌ କରି ଆବେଦନ ହୋଇଥିବା ଜାମିନ୍‌କୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦିଲ୍ଳୀ ମଦ ନୀତି ମାମଲ‌ାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଜାମିନ୍‌ ପାଇ ସାରିିଥିବା ବେଳେ ଏଥର ନିରାଶ ହୋଇଛନ୍ତି।