ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଶୁକ୍ରବାର (ଜୁନ୍ ୨୭, ୨୦୨୫) ସୁଦ୍ଧା କଏଦୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ଏହି ମାମଲାର ତଦନ୍ତ ଗାଜିଆବାଦର ପ୍ରମୁଖ ଜିଲ୍ଲା ବିଚାରପତିଙ୍କୁ ହସ୍ତାନ୍ତର କରି କହିଛନ୍ତି, ‘ ଯଦି ତଦନ୍ତରେ କୌଣସି ଅଧିକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କଠାରୁ କ୍ଷତିପୂରଣ ରାଶି ଆଦାୟ କରାଯିବ।’
ଘଟଣାଟି ହେଉଛି ଏପରି, ୨୦୨୪ ଜାନୁଆରି ୩ ତାରିଖରେ ଗାଜିଆବାଦର ୱେଭ୍ ସିଟି ପୁଲିସ ଷ୍ଟେସନରେ ଆଫତାବ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୩୬୬ (ନାବାଳିକା ଝିଅକୁ ଅପହରଣ) ଏବଂ ୟୁପି ଅବୈଧ ଧର୍ମାନ୍ତରୀକରଣ ନିଷେଧ ଆଇନର ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।
ସୁପ୍ରିମକୋର୍ଟ ୨୦୨୫ ଏପ୍ରିଲ ୨୯ରେ ଆଫତାବଙ୍କ ଜାମିନ ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ତାଙ୍କୁ ମୁକ୍ତ କରାଯାଇ ନଥିଲା। ଏହାପରେ ଆଫତାବ ଏକ ଆବେଦନ ଦାଖଲ କରି କହିଥିଲେ,‘ ଯେ ଜେଲର ତାଙ୍କୁ ବୈଷୟିକ ଆଧାରରେ ମୁକ୍ତ କରିବାକୁ ମନା କରି ଦେଇଛନ୍ତି।’
ଗତ ମଙ୍ଗଳବାର ସୁପ୍ରିମକୋର୍ଟ କହିଥିଲେ ଯେ ଗାଜିଆବାଦ ଜେଲର ଜୁନ ୨୫ ବୁଧବାର ଦିନ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହେବା ଉଚିତ। ଉତ୍ତର ପ୍ରଦେଶର ଜେଲ ମହାନିର୍ଦ୍ଦେଶକ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଉପସ୍ଥିତ ରହିବା ଉଚିତ।
ବୁଧବାର ଶୁଣାଣି ଆରମ୍ଭ ହେବା ମାତ୍ରେ ୟୁପି ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଗରିମା ପ୍ରସାଦ କୋର୍ଟଙ୍କୁ କହିଥିଲେ ଯେ,‘ କଏଦୀ ଅଫତାବଙ୍କୁ ଗତମଙ୍ଗଳବାର ରାତି ୮.୪୦ ରେ ମୁକ୍ତ କରାଯାଇଥିଲା।’
ଗରିମା ପ୍ରସାଦ କଏଦୀଙ୍କୁ ବିଳମ୍ବରେ ମୁକ୍ତ କରିବାର କାରଣକୁ ବ୍ୟାଖ୍ୟା କରି କହିଥିଲେ ଯେ ଏପ୍ରିଲ ୨୯ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଏଦୀ ମଇ ୨୭ରେ ଜାମିନ ବଣ୍ଡ ଏବଂ ଜାମିନଦାର ଦାଖଲ କରିଥିଲେ।