ଅଯୋଧ୍ୟା ରାୟର ପୁନର୍ବିଚାର କରିବାକୁ ମନାକଲେ ସୁପ୍ରିମକୋର୍ଟ, ୧୮ଟି ପୁନର୍ବିଚାର ମାମଲା ଖାରଜ

ନୂଆଦିଲ୍ଲୀ : ଅଯୋଧ୍ୟା ରାୟର ପୁନର୍ବିଚାର କରିବାକୁ ଆଗତ ହୋଇଥିବା ସବୁ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାରଦିନ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ, ଜଷ୍ଟିସ ଡି.ଓ୍ଵାଇ.ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଅବଦୁଲ ନାଜିର ଓ ସଂଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପୁନର୍ବିଚାର ମାମଲାଗୁଡ଼ିକୁ ଖାରଜ କରିଦେଇଛନ୍ତି ।

ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଥିଲେ । ଏହି ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ବିରୁଦ୍ଧରେ ପ୍ରାୟ ୧୮ଟି ପୁନର୍ବିଚାର ମାମଲା ଦାଏର ହୋଇଥିଲା । ଅଲ-ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗୋଟିଏ ମାମଲା ଦାଏର ହୋଇଥିବାବେଳେ ହିନ୍ଦୁ ମହାସଭା ପକ୍ଷରୁ ଆଉ ଏକ ପୁନର୍ବିଚାର ମାମଲା ଦାଏର କରାଯାଇଥିଲା । ୪୦ ଜଣ ସମାଜସେବୀ ମଧ୍ୟ ପୁନର୍ବିଚାର ମାମଲା ଦାଏର କରିଥିଲେ ।

ସମ୍ବନ୍ଧିତ ଖବର