ରାଜକ୍ଷମା ନାକଚ ବିରୋଧରେ ମୁକେଶ ସିଂହର ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାଜକ୍ଷମା ନାକଚ ବିରୋଧରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହ କରିଥିବା ଆବେଦନକୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

ଅଦାଲତ ଦେଇଥିବା ଫାଶୀଦଣ୍ଡରୁ ମୁକ୍ତି ପାଇବା ଲାଗି ରାଜକ୍ଷମା ନିମନ୍ତେ ମୁକେଶ ଭାରତର ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ। କିନ୍ତୁ, ରାଷ୍ଟ୍ରପତିଙ୍କ ଦ୍ୱାରା ତାହା ଖାରଜ ହୋଇଥିଲା।

ବିଚାରପତି ଆର୍‌. ବାନୁମତୀଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ରାୟ ଦେଇ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଠାରେ ସରକାର ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ଦାଖଲ ଦାଖଲ କରିନାହାନ୍ତି ବୋଲି ମୁକେଶ ସିଂହ ବାଢ଼ିଥିବା ଯୁକ୍ତିର କୌଣସି ଯଥାର୍ଥତା ନାହିଁ।

Image Source: Hindustan Times

ଜେଲ୍‌ରେ ଦୁର୍ଦ୍ଦଶା ଏବଂ ଅପମାନ ଭୋଗିଛି ବୋଲି ମୁକେଶ ସିଂହ କହିଥିବା କଥାକୁ ମଧ୍ୟ ଖଣ୍ଡପୀଠ ଏଡ଼ାଇ ଦେଇଛନ୍ତି। ବିଚାରପତି ଆର୍‌. ବାନୁମତୀ, ଅଶୋକ ଭୂଷଣ ଓ ଏଏସ୍‌ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି: ରାଷ୍ଟ୍ରପତିଙ୍କ ରାଜକ୍ଷମା ବିରୋଧରେ ଚାଲେଞ୍ଜ୍‌ କରିବା ନିମନ୍ତେ ଜେଲ୍‌ରେ ଭୋଗିଥିବା ଦୁର୍ଦ୍ଦଶାକୁ କାରଣ ଭାବେ ଉପସ୍ଥାପନ କରାଯାଇ ପାରିବ ନାହିଁ।

Image Source: Zee News

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ନାକଚ ହୋଇଥିବା ରାଜକ୍ଷମା ବିରୋଧରେ ଜରୁରୀ ଶୁଣାଣି ଲାଗି ଜାନୁଆରି ୨୭ ତାରିଖ ଦିନ ମୁକେଶ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲା।

ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ହାଜର ହୋଇ କହିଥିଲେ ଯେ ମୃତ୍ୟୁ ଦଣ୍ଡ ପାଇଥିବା ଦୋଷୀଙ୍କ ପ୍ରତି ମଧ୍ୟ ଉତ୍ତମ ବ୍ୟବହାର ପ୍ରଦର୍ଶନ ହେବ ବୋଲି ସମ୍ବିଧାନର ଧାରା ୨୧ରେ ଉଲ୍ଲେଖ ରହିଛି। କୌଣସି ମାମଲାର ବିଚାରରେ ହେଉଥିବା ବିଳମ୍ବ ବିରୋଧରେ ଆବେଦନ କରିହେବ କିନ୍ତୁ, ତୁରନ୍ତ ମାମଲାର ବିଚାର କରାଯିବା ବିରୋଧରେ କୌଣସି ଚାଲେଞ୍ଜ୍‌ କରି ହେବ ନାହିଁ।

ସମ୍ବନ୍ଧିତ ଖବର