ନିର୍ଭୟା କାଣ୍ଡ : କେମିତି ଘଟିଥିଲା, କେତେ ଥର ହୋଇଛି ବିଚାର ଓ ଶୁଣାଣି ? ଜାଣନ୍ତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ଘଟଣା

ନୂଆଦିଲ୍ଲୀ: ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ସମଗ୍ର ଦେଶ ପାଇଁ  ଥିଲା ଏକ କଳା ରାତି। ଏହି ରାତିରେ ଦିଲ୍ଲୀର ୨୩ ବର୍ଷୀୟା ପରାମେଡିକାଲ୍‌ ଛାତ୍ରୀ ନିର୍ଭୟାଙ୍କ ସହ ଯାହା ଘଟିଥିଲା ତାହା ଏବେ ବି ଭବିଲା ବେଳକୁ ଲୋମମୂଳ ଟାଙ୍କୁରି ଉଠେ।  ନିର୍ଭୟା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଦକ୍ଷିଣ ଦିଲ୍ଳୀର ଏକ ବସ୍‌ରେ ଘରକୁ ଫେରୁଥିଲେ । ଘଟଣାଚକ୍ରରେ ସେ ଯେଉଁ ବସରେ ଚଢ଼ିଥିଲେ ସେଥିରେ .କୌଣସି ଯାତ୍ରୀ ନଥିଲେ। ସେହି ଚଳନ୍ତା ବସ୍‌ ମଧ୍ୟରେ ୬ ଜଣ ଦୁର୍ବୃତ୍ତ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିବା ସହ ଅମାନୁଷିକ ଅାକ୍ରମଣ କରି  ମୂମୁର୍ଷୁ ଅବସ୍ଥାରେ ରାସ୍ତାକୁ ଫିଙ୍ଗି ଦେଇଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ, ନିର୍ଭୟାଙ୍କ ଗୁପ୍ତାଙ୍ଗକୁ ଲୁହା ଛଡ଼ରେ ଆଘାତ କରିବା ଭଳି ଆସୁରିକ ଅତ୍ୟାଚାର ବି କରିଥିଲେ ଏହି ଦୁର୍ବୃତ୍ତମାନେ।

ଏହି ଘଟଣା ଡିସେମ୍ବର ୧୭ରେ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇ ଯାଇଥିଲା। ପୂରା ଦେଶର ଲୋକେ ରାସ୍ତାକୁ ଆସି ନିର୍ଭୟାଙ୍କ ଆରୋଗ୍ୟ କାମନା କରିବା ସହ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଥିଲେ। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଦେଶରେ ଏକ ଜନମତ ସୃଷ୍ଟି ହୋଇଥିଲା । ନିର୍ଭୟା ୧୩ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରିଥିଲେ ଏବଂ ଶେଷରେ ସେ ହାରି ଯାଇଥିଲେ। ସିଙ୍ଗାପୁରର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ ଏହି ଘଟଣା ଘଟାଇଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦିଲ୍ଲୀର ଟ୍ରାଏଲ୍‌ କୋର୍ଟ ୨୦୧୩ ମସିହାରେ ନାବାଳକ ବ୍ୟତୀତ ଅନ୍ୟ ୫ ଜଣଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ଏହାପରେ ଅଭିଯୁକ୍ତମାନେ ଦିଲ୍ଲୀ ହାଇକୋର୍ଟରେ ମାମଲାର ପୁର୍ନବିଚାର ଲାଗି ଆବେଦନ କରିଥିଲେ। ୨୦୧୪ ମସିହାରେ ଦିଲ୍ଲୀ ହାଇକୋର୍ଟ ଅଭିଯୁକ୍ତଙ୍କ ଆବେଦନକୁ ଖାରଜ କରି ଦଣ୍ଡ କାଏମ୍‌ ରଖିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ବସ୍‌ ଡ୍ରାଇଭର୍‌ ରାମ ସିଂହ ଜେଲ୍‌ ଭୋଗିବା ସମୟରେ ଫାଶୀ ଦଣ୍ଡ ମିଳିବା ପୂର୍ବରୁ ନିଜେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଏହି ବର୍ବୋରୋଚିତ କାଣ୍ଡରେ ସାମିଲ୍‌ ଥିବା ନାବାଳକ ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ପର୍ଯ୍ୟନ୍ତ ଏକ ବାଳ ସୁଧାର ଗୃହରେ ରହିଥିଲା। ଏବେ ସେହି ନାବାଳକ ୨୩ ବର୍ଷରେ ପଦାର୍ପଣ କରି ସାରିଛି। ବିଭିନ୍ନ ମହଲରେ ତାକୁ ବି ମୃତ୍ୟୁ ଦଣ୍ଡ ଦେବାକୁ ଦାବି ହୋଇଛି।

୨୦୧୭ ମସିହା ମେ ୫ ତାରିଖରେ ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ନେଇ ଏକ ଐତିହାସିକ ରାୟ ଶୁଣାଇଥିଲେ। ୨୦୧୨ ମସିହାରୁ ବହୁଚର୍ଚ୍ଚିତ ତଥା ବର୍ବରୋଚିତ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ମୁଖ୍ୟ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ମୋହର ଲଗାଇଥିଲେ ସୁପ୍ରିମ୍‌କୋର୍ଟ। ସମଗ୍ର ଦେଶର ଆଖି ସୁପ୍ରିମ୍‌କୋର୍ଟଙ୍କ ଉପରେ ରହିଥିଲା।

ଏହା ପରେ ଅଭିଯୁକ୍ତମାନେ ଦଣ୍ଡର  ପୁର୍ନବିଚାର ଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍‌.ଭାନୁମତି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁଲାଇ,୯, ୨୦୧୮,ସୋମବାର ସେମାନଙ୍କ ଅାବେଦନକୁ ଖାରଜ କରିବା ସହ  ଫାଶୀ ଦଣ୍ଡାଦେଶ କାଏମ୍ ରଖିଛନ୍ତି।  ଏହି ବହୁଚର୍ଚ୍ଚିତ ମାମଲାର ରାୟରେ ଉଲ୍ଲେଖ କରିଥିଲେ କି, ‘ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲା ଏକ ବିରଳରୁ ବିରଳତମ ଅପରାଧ। ନ୍ୟାୟକୁ ପ୍ରତିଷ୍ଠା କରିବା ଲାଗି ଆମେ ସର୍ବାଧିକ ଦଣ୍ଡ ଶୁଣାଇବାକୁ ବାଧ୍ୟ ହୋଇଛୁ। ଏହା ଫଳରେ ନିର୍ଭୟାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଚଳନ୍ତା ବସ୍‌ରେ ଦୁଷ୍କର୍ମ ଓ ହତ୍ୟା କରିଥିବା ଅକ୍ଷୟ ଠାକୁର, ବିନୟ ଶର୍ମା, ପବନ ଗୁପ୍ତା ଓ ମୁକେଶଙ୍କୁ ଫାଶୀ ଦଣ୍ଡ ଦିଆଯିବା ନିଶ୍ଚିତ ହୋଇଯାଇଛି।’

ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ସମଗ୍ର ଦେଶରେ ଖୁସିର ଲହରି ସୃଷ୍ଟି କରିଥିଲା। କୋର୍ଟ ରୁମ୍‌ରେ ବିଚାରପତି ତ୍ରୟ ଯେତେବେଳେ ରାୟ ଶୁଣାଇଥିଲେ ସେତେବେଳେ ଉପସ୍ଥିତ ସମସ୍ତେ କରତାଳି ଦେଇ ରାୟକୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର