ନୂଆଦିଲ୍ଲୀ: ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଥିବା ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪)ଙ୍କ ମାଆଙ୍କୁ ଝଟକା। ନାତିର କଷ୍ଟଡିକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ ଝଟକା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପିଲାଟି ତାଙ୍କ ମା’ଙ୍କ ପାଖରେ ରହିବ। ଜୀବନ ହାରିବା ପୂର୍ବରୁ ଅତୁଲ, ପତ୍ନୀଙ୍କ ପରିବର୍ତ୍ତେ ପୁଅର କଷ୍ଟଡି ତାଙ୍କ ମାତାପିତାଙ୍କୁ ମିଳୁ ବୋଲି କହିଥିଲେ। ଏହା ପରେ ଅତୁଲଙ୍କ ମାତାପିତା ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହାକୁ ଆଜି ଖାରଜ କରିଦିଆଯାଇଛି। କୋର୍ଟ ଅତୁଲ ସୁଭାଷଙ୍କ ମାଆଙ୍କୁ ନାତିର କଷ୍ଟଡି ପାଇଁ ନିମ୍ନ ଅଦାଲତ ଯିବାକୁ ଅନୁମତି ଦେଇଛନ୍ତି।
ଜାନୁଆରି ୭ରେ ଏହାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ, ପିଲାଟିର ମା’ ଏବେ ବି ଜୀବିତ ଅଛନ୍ତି । ଅତୁଲଙ୍କ ମାଆଙ୍କୁ ପିଲାଟି ଭଲ ଭାବରେ ଜାଣିନାହିଁ। ସେ କେବଳ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସହ କଥା ହୋଇଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ କଷ୍ଟଡି ଦେବା ସମ୍ଭବ ନୁହେଁ। ଯଦି ଆପଣ ଚାହୁଁଛନ୍ତି ତେବେ ନାତିକୁ ଦେଖା କରିପାରିବେ।
ଉଲ୍ଲେଖଯୋଗ୍ୟ, ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪) କିଛି ମାସ ତଳେ ଜୀବନ ହାରିଥିଲେ। ଏହି ମାମଲାରେ ଫେରାର୍ ପତ୍ନୀ ନିକିତା ସିଂଘାନିଆ, ଶାଶୁ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଥିବା ବେଳେ ପରେ ସେମାନଙ୍କୁ ଜାମିନ୍ ମିଳିଥିଲା।