ଲୋକାୟୁକ୍ତ ନିଯୁକ୍ତି ମାମଲାରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ: ମୁଖ୍ୟସଚିବଙ୍କୁ ହାଜର ହୋଇ ସମୟସୀମା ଅବଗତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଓଡ଼ିଶା ଲୋକାୟୁକ୍ତ ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ‘ଆମେ ସଂପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ’।

ବୁଧବାର ରାଜ୍ୟସରକାରଙ୍କ ପକ୍ଷରୁ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଲାଗି ପୁଣି ଥରେ ୩ ମାସ ମଗା ଯାଇଥିଲା। ଏହାକୁ ଖାରଜ କରି ଅସନ୍ତୋଷ ବ୍ୟକ୍ତ କରି ଖଣ୍ଡପୀଠ କହିଥିଲେ, ରାଜ୍ୟର ମୁଖ୍ୟ ସଚିବ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିର୍ଦ୍ଦିଷ୍ଟ କେଉଁ ସମୟ ସୀମା ଭିତରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ତାହା କୋର୍ଟଙ୍କୁ ଅବଗତ କରାଇବେ।

ଉଲ୍ଲେଖଯୋଗ୍ୟ କି ଏହି ମାମଲାରେ ସୁପ୍ରିମକୋର୍ଟ ଜୁଲାଇ ୧୦ ତାରିଖରେ ରାଜ୍ୟ ସରକାରଙ୍କୁ ୩ ମାସ ମହଲତ ଦେଇଥିଲେ। ସୁପ୍ରିମକୋର୍ଟ ଜୁଲାଇ ୧୦ର ଶୁଣାଣିରେ କହିଥିଲେ କି ୨୦୧୮ ଜୁଲାଇ ୭ ତାରିଖରେ ଓଡ଼ିଶା ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହୋଇଛି। ସେହି ଆଧାରରେ ଲୋକାୟୁକ୍ତ ନିଯୁକ୍ତ ହେବେ। ଚଳିତ ମାସ ୧୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ଶେଷ ହୋଇଛି। ଫଳରେ ରାଜ୍ୟ ସରକାର ଏକ ସାନି ସତ୍ୟପାଠ ଜରିଆରେ ଆଉ ୩ ମାସ ସମୟ ଚାହିଁଥିଲେ।

ସମ୍ବନ୍ଧିତ ଖବର