ନୂଆଦିଲ୍ଲୀ: ମନମୁଖି ବୁଲଡୋଜର୍‌ କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରି ସୁପ୍ରିମ୍‌କୋର୍ଟ ବୁଧବାର କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନ୍ୟାୟପାଳିକାର କାର୍ଯ୍ୟ କରିପାରିବେ ନାହିଁ। କେବଳ ଅପରାଧ ଅଭିଯୋଗ ଆଧାରରେ ଲୋକଙ୍କ ଘର ଭାଙ୍ଗିପାରିବେ ନାହିଁ। ଉଚ୍ଛେଦ ପାଇଁ କଠୋର ମାର୍ଗଦର୍ଶିକା ଜାରି କରି ସର୍ବୋଚ୍ଚ ନ୍ୟାୟାଳୟ କାର୍ଯ୍ୟନିର୍ବାହୀଙ୍କ ଅତ୍ୟାଚାର ବିରୋଧରେ ଚେତାବନୀ ଦେଇ କହିଛନ୍ତି ଯେ ଦୋଷୀ ଅଧିକାରୀଙ୍କ ଦରମାରୁ କ୍ଷତିଗ୍ରସ୍ତଙ୍କ କ୍ଷତି ଭରଣା କରାଯିବ। ମନଇଚ୍ଛା ବୁଲଡୋଜର୍‌ କାର୍ଯ୍ୟାନୁଷ୍ଠାନ ଉପରେ ବ୍ରେକ୍ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି।

Advertisment

ଶୁଣାଣି ସମୟରେ ଅଦାଲତ କହିଥିଲେ ଯେ କାର୍ଯ୍ୟନିର୍ବାହୀ ଅଫିସରମାନେ ବିଚାରକ ଭୂମିକା ଗ୍ରହଣ କରିପାରିବେ ନାହିଁ ଏବଂ କେବଳ ଅଭିଯୋଗ ଆଧାରରେ ନାଗରିକଙ୍କ ଘରକୁ ମନଇଚ୍ଛା ଭାଙ୍ଗିବା ସାମ୍ବିଧାନିକ ଆଇନ ଓ କ୍ଷମତା ବଣ୍ଟନ ନୀତିର ଉଲ୍ଲଂଘନ କରୁଛି। ନିରପେକ୍ଷ ଶୁଣାଣି ବିନା କାହାକୁ ଦୋଷୀ ସାବ୍ୟସ୍ତ ଓ ଦଣ୍ଡ ପ୍ରଦାନ କରାଯାଇପାରିବ ନାହିଁ। ଅଧିକାରୀମାନେ ନିଜ ଅଧିକାର ବାହାରେ କାର୍ଯ୍ୟ କଲେ ସେମାନଙ୍କୁ ଉତ୍ତରଦାୟୀ କରାଯିବ। ବିଶେଷ କରି ନ୍ୟାୟିକ ଆଦେଶ ଅଭାବରୁ ଏଭଳି ମନମୁଖି କାର୍ଯ୍ୟ ଆଇନର ଶାସନକୁ ଦୁର୍ବଳ କରିଥାଏ। ଯଦି କେବଳ ଜଣେ ବ୍ୟକ୍ତି ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ପୂରା ପରିବାର ମୁଣ୍ଡରୁ ଛାତ ହଟାଇବାକୁ କିପରି ଅନୁମତି ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହା ପୂର୍ବରୁ ଅଦାଲତ ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଭାଙ୍ଗିବାର ୧୫ ଦିନ ଆଗରୁ ନୋଟିସ୍ ଦେବାକୁ ପଡ଼ିବ
ଅଧିକାରୀ ଦୋଷୀ ସାବ୍ୟସ୍ତ ହେଲେ ଦରମାରୁ ଭରଣା ହେବ
ପୂରା ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହେବ

ବୁଲଡୋଜର୍‌ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ସୁପ୍ରିମ୍‌କୋର୍ଟ ବୁଧବାର ବୁଲଡୋଜର୍‌ ଉଚ୍ଛେଦ ସମ୍ପର୍କରେ ରାୟ ପ୍ରଦାନ କରି ଉପଯୁକ୍ତ ପ୍ରକ୍ରିୟା ପାଳନକୁ ସୁନିଶ୍ଚିତ କରିବା ପାଇଁ କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଅଦାଲତ କହିଛନ୍ତି ଯେ ଏହି ନିୟମକୁ ପାଳନ ନ କରି କୌଣସି ଉଚ୍ଛେଦ କରାଯାଇ ପାରିବ ନାହିଁ। ତେବେ ଯଦି କୌଣସି ଅନଧିକୃତ ନିର୍ମାଣ ସାର୍ବଜନୀନ ରାସ୍ତା, ରେଳ ଲାଇନ୍ କିମ୍ବା ଜଳାଶୟରେ ଅଛି କିମ୍ବା ଅଦାଲତଙ୍କ ଦ୍ୱାରା ଉଚ୍ଛେଦ ନିର୍ଦ୍ଦେଶ ଦିଆଯାଇଛି ତେବେ ନିର୍ଦ୍ଦେଶାବଳୀ ସେଠାରେ ଲାଗୁ ହେବ ନାହିଁ। କୌଣସି ଉଚ୍ଛେଦ ପୂର୍ବରୁ ୧୫ ଦିନର ନୋଟିସ୍ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ନୋଟିସ ଉପରେ ନଜର ରଖିବା ପାଇଁ ୩ ମାସ ମଧ୍ୟରେ ଏକ ଡିଜିଟାଲ ପୋର୍ଟାଲ ଖୋଲିବାକୁ କୋର୍ଟ କହିଛନ୍ତି। ଏହି ପୋର୍ଟାଲରେ ନୋଟିସ୍ ଓ ଶୁଣାଣି ତାରିଖ ବିଷୟରେ ବିବରଣୀ ଅନ୍ତର୍ଭୁକ୍ତ ହେବ।

 ପ୍ରତ୍ୟେକ ନୋଟିସ୍‌ରେ ଉଚ୍ଛେଦର କାରଣ ଓ ଶୁଣାଣି ତାରିଖ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡିବ। ସମ୍ପତ୍ତି ମାଲିକ କିମ୍ବା ଦଖଲକାରୀଙ୍କ ବ୍ୟକ୍ତିଗତ ଶୁଣାଣି କରିବାକୁ ମଧ୍ୟ ସୁପ୍ରିମ୍‌କୋର୍ଟ କହିଛନ୍ତି, ଯେଉଁଠାରେ ସେମାନଙ୍କ ଯୁକ୍ତିକୁ ବିଚାର କରାଯିବ। ଆଂଶିକ ଉଚ୍ଛେଦ ସମ୍ଭାବନା ଅଛି କି ନାହିଁ, କର୍ତ୍ତୃପକ୍ଷ ଦେଖିବା ଆବଶ୍ୟକ। ଉଚ୍ଛେଦ କାହିଁକି ଜରୁରି ତାହାର ସ୍ପଷ୍ଟୀକରଣ ମଧ୍ୟ ଅନ୍ତର୍ଭୁକ୍ତ ହେବା ଜରୁରି। ଏହି ଗାଇଡ୍‌ଲାଇନକୁ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ସହ ସେମାନଙ୍କ ଦରମାରୁ କ୍ଷତିପୂରଣ ଭରଣା କରାଯିବ ବୋଲି କୋର୍ଟ କହିଛନ୍ତି। ଏହା ସହିତ ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡିଂ ମଧ୍ୟ ହେବ।