ଭୀମା କୋରେଗାଁଓ ହିଂସା: ଗିରଫ ୫ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବୃଦ୍ଧି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭୀମା କୋରେଗାଁଓ ହିଂସା ଘଟଣାରେ ସଂପୃକ୍ତି ସହ ନିଷିଦ୍ଧ ମାଓବାଦୀ ସଂଗଠନ ସହ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇ ଏବେ ଗୃହବନ୍ଦୀ ଥିବା ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ଆଜି ସୁପ୍ରିମ୍‌ କୋର୍ଟ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭୀମା କୋରେଗାଓଁ ହିଂସା ଘଟଣା ଓ ନିଷିଦ୍ଧ ଘୋଷିତ ମାଓବାଦୀ ସଂଗଠନ ସହ ସଂପୃକ୍ତ ଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍‌ ଗତ ଅଗଷ୍ଟ ୨୮ ତାରିଖରେ ସାମାଜିକ କର୍ମୀ ବାର୍‌ବରା ରାଓ, ଅରୁଣ ଫେରିରା, ଭିର୍‌ନନ୍‌ ଗୋନ୍‌ସାଲ୍‌ଭେସ୍‌, ସୁଧା ଭରଦ୍ୱାଜ ଓ ଗୌତମ ନଭଲାଖାଙ୍କୁ ଗିରଫ କରିଥିଲା। ତେବେ, ଅଗଷ୍ଟ ୨୯ ତାରିଖ ଦିନ ସୁପ୍ରିମ୍‌ କେ୍‌ାର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ଗିରଫ ସାମାଜିକ କର୍ମୀମାନଙ୍କୁ ବିଚାର ବିଭାଗୀୟ ହାଜତ ପରିବର୍ତ୍ତେ ଗୃହବନ୍ଦୀ କରି ରଖିବା ପାଇଁ ମହାରାଷ୍ଟ୍ର ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ, ଏହି ସାମାଜିକ କର୍ମୀମାନଙ୍କର ଗିରଫଦାରୀକୁ ବିରୋଧ କରି ଐତିହାସିକ ରୋମିଲା ଥାପର ଅନ୍ୟ ୪ ଜଣଙ୍କ ପକ୍ଷରୁ ଏକ ମାମଲା ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିଲା। ଆଜି ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵାଲିକର ଓ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠରେ ଏହି ମାମଲାର ବିଚାର ଚାଲିଥିବା ବେଳେ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିବା ସହ ଏବେ ଗୃହବନ୍ଦୀ ଥିବା ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର