ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ୩ ଦୁଷ୍କର୍ମ-ହତ୍ୟା ଅପରାଧୀଙ୍କୁ ମୁକ୍ତ କରିଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ  ଅପହରଣ ପରେ ଦୁଷ୍ମର୍ମ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ମୁକ୍ତ କରି ଦେଇଛନ୍ତି।

ଦେଶର ବହୁଚର୍ଚ୍ଚିତ ନିର୍ଭୟା ମାମଲାର ମାସକ ପୂର୍ବରୁ ୨୦୧୨ରେ ଘଟିଥିଲା ଏହି ଜଘନ୍ୟ ଅପରାଧ। ଦିଲ୍ଲୀର ଜଣେ ୧୯ ବର୍ଷୀୟା ମହିଳାଙ୍କୁ ଅପହରଣ ପରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେଇ ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ତିନି ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ‘ରାଜରାସ୍ତାରେ ବୁଲିବୁଲି ନିଜର ଶିକାର ସନ୍ଧାନ କରୁଥିବା ଜଘନ୍ୟ ଶିକାରୀ’ ବୋଲି ବର୍ଣ୍ଣନା କରିଥିଲେ। ତେବେ, ସୁପ୍ରିମକୋର୍ଟ ଆଜି ଏହି ତିନିଜଣ ଅଭିଯୁକ୍ତଙ୍କୁ ମୁକ୍ତ କରି ଦେଇଛନ୍ତି।

ରିପୋର୍ଟରୁ ପ୍ରକାଶ, ଫେବ୍ରୁଆରି ୨୦୧୨ରେ, ଜନୈକା ୧୯ ବର୍ଷୀୟା ଯୁବତୀ ଅପହୃତା ହେବାର କିଛିଦିନ ପରେ ତାଙ୍କର ଅର୍ଦ୍ଧଦଗ୍ଧ କ୍ଷତବିକ୍ଷତ ମୃତଦେହ ହରିୟାଣାର ରେଓ୍ଵାରୀ ଜିଲ୍ଲାର ଏକ କ୍ଷେତରୁ ମିଳିଥିଲା। ଏ ଘଟଣା ସଂପର୍କରେ ଦିଲ୍ଲୀର ନଜଫଗଡ଼ ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରି ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ରବି କୁମାର, ରାହୁଲ ଏବଂ ବିନୋଦ ନାମକ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗରିଫ କରିଥିଲା।

ଫେବ୍ରୁଆରି ୨୦୧୪ରେ ଦିଲ୍ଲୀର ଏକ ଅଦାଲତ ଏହି ତିନି ଅଭିଯୁକ୍ତଙ୍କୁ ସଂପୃକ୍ତ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ।

ତଳ ଅଦାଲତର ଏହି ରାୟକୁ ବିରୋଧ କରି ଅଭିଯୁକ୍ତମାନେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ, ଦିଲ୍ଲୀ ହାଇକୋର୍ଟ ତଳ ଅଦାଲତର ରାୟକୁ ସମର୍ଥନ କରିବା ସହ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ।

ଏହାପରେ, ଏହି ତିନ ଅଭିଯୁକ୍ତ ସୁପ୍ରିମକୋର୍ଟରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେମାନଙ୍କ ଦଣ୍ଡ ହ୍ରାସ କରିବାକୁ ଆବେଦନ କରିଥିଲେ। ଆଜି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁୟୁ ଲଳିତ ଏବଂ ଜଷ୍ଟିସ୍‌ ଏସ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ବାତିଲ କରିବା ସହ ତିନିଜଣ ଅପାଧୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ ଅପରାଧୀଙ୍କ ମୃତ୍ୟୁଦଣ୍ଡ ହ୍ରାସ କରିବାକୁ ବିରୋଧ କରିଥିଲା। ଦିଲ୍ଲୀ ପୁଲିସ କହିଥିଲେ ଯେ ଏହି ଅପରାଧ କେବଳ ପୀଡିତାଙ୍କ ବିରୋଧରେ ନୁହେଁ, ବରଂ ସମାଜ ବିରୋଧରେ କରାଯାଇଛି। ପୁଲିସ ଅପରାଧର ଜଘନ୍ୟ ପ୍ରକୃତି ଦର୍ଶାଇ ଦୋଷୀମାନଙ୍କୁ କୌଣସି ପ୍ରକାରର ଦଣ୍ଡ ରିହାତି ବିରୁଦ୍ଧରେ ଯୁକ୍ତି କରିଥିଲା।

ଅନ୍ୟପକ୍ଷରେ, ଦୋଷୀମାନଙ୍କ ତରଫରୁ ମାମଲା ଲଢ଼ୁଥିବା ଓକିଲ ସେମାନଙ୍କ ବୟସ, ପାରିବାରିକ ପୃଷ୍ଠଭୂମି ଏବଂ ଅତୀତର ଅପରାଧିକ ରେକର୍ଡକୁ ଦର୍ଶାଇ ଦଣ୍ଡ ହ୍ରାସ ପାଇଁ ଚାପ ପକାଇଥିଲେ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଘୋଷଣା ପରେ ମୃତା ଯୁବତୀଙ୍କ ପିତାମାତା କହିଛନ୍ତି ଯେ ସେମାନେ ଏହି ରାୟ ଦ୍ୱାରା ଭାଙ୍ଗି ଯାଇଛନ୍ତି କିନ୍ତୁ ସେମାନେ ସେମାନଙ୍କର ଆଇନଗତ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ‘ଆମେ ନ୍ୟାୟ ପାଇଁ ଏଠାକୁ ଆସିଥିଲୁ। କିନ୍ତୁ, ଏହା ଏକ ଅନ୍ଧ ନ୍ୟାୟ ବ୍ୟବସ୍ଥା’! ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର