ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ୩ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ନେଇ କଲେଜିୟମର ସୁପାରିସକୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ବିଜ୍ଞପ୍ତି ମଧ୍ୟ  ଆଜି ଜାରି ହୋଇଛି।  କଲେଜିୟମ ସୋମବାର କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ୍‌ଭି ଅଞ୍ଜାରିଆ, ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଏଏସ୍ ଚାନ୍ଦୁରକରଙ୍କ ନାମ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ।  ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ନିଯୁକ୍ତି ସଂକ୍ରାନ୍ତ ଘୋଷଣା କରିଛନ୍ତି।  ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଜଷ୍ଟିସ ହୃଷିକେଶ ରାୟ ଅବସର ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ୩ଟି ବିଚାରପତି ପଦବି ପାଇଁ ଜଷ୍ଟିସ ଅଞ୍ଜାରିଆ, ଜଷ୍ଟିସ ବିଷ୍ଣୋଇ ଏବଂ ଜଷ୍ଟିସ ଚାନ୍ଦୁରକରଙ୍କ ନାମ ସୁପାରିସ କରାଯାଇଥିଲା। ନିଯୁକ୍ତି ସଂକ୍ରାନ୍ତ ଫାଇଲ୍ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ଅନୁମୋଦନ ମିଳିଥିଲା। ଏହି ନିଯୁକ୍ତି ପରେ ସୁପ୍ରିମ୍‌କୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। 

Advertisment

କଲେଜିୟମ ସୁପାରିସକୁ ଅନୁମୋଦନ କଲେ ରାଷ୍ଟ୍ରପତି
ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି

କଲେଜିୟମରେ ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣ ବରିଷ୍ଠ ବିଚାରପତି ରହିଛନ୍ତି। ପ୍ରଧାନ ବିଚାରପତି ବିଆର୍ ଗୱାଇଙ୍କ ସମେତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ବିଭି ନାଗରତ୍ନା ବିଚାରପତି ଚୟନ କମିଟିର ସଦସ୍ୟ ଅଛନ୍ତି।  ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ସୁପ୍ରିମ୍‌କୋର୍ଟ କଲେଜିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିଚାରପତି ନିଯୁକ୍ତିକୁ ନେଇ ଅନେକ ଥର ମତଭେଦ ସାମ୍ନାକୁ ଆସିଛି। ତେବେ ଏଥର କଲେଜିୟମର ସୁପାରିସକୁ ଶୀଘ୍ର ଗ୍ରହଣ କରାଯିବା ସୂଚାଉଛି ଯେ ଉଭୟ ପକ୍ଷ ମଧ୍ୟରେ ଭଲ ବୁଝାମଣା ରହିଛି ଏବଂ ଏ ବାବଦ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁଛି।