ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀଙ୍କ ଘରୋଇ ଅଭୟାରଣ୍ୟ ବନତାରାକୁ ମନ୍ଦିର ହାତୀଙ୍କୁ ସ୍ଥାନାନ୍ତରକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଏ ତେବେ ମନ୍ଦିର ହାତୀମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନର ବନତାରାକୁ ସ୍ଥାନାନ୍ତର କରିବାରେ କୌଣସି ଭୁଲ୍ ନାହିଁ। ଗୁଜରାଟରେ ଥିବା ବନ୍ୟଜନ୍ତୁ କେନ୍ଦ୍ରକୁ ହାତୀଙ୍କ ସ୍ଥାନାନ୍ତରକୁ ଚ୍ୟାଲେଞ୍ଜ କରୁଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସୁପ୍ରିମ୍କୋର୍ଟ ଏହା କହିଛନ୍ତି। ସୁପ୍ରିମ୍କୋର୍ଟର ଖଣ୍ଡପୀଠ କହିଛନ୍ତି ଯେ, ଏହି ପ୍ରସଙ୍ଗର ଯାଞ୍ଚ ପାଇଁ ନିଯୁକ୍ତ କମିଟି ଏହାର ରିପୋର୍ଟ ଦାଖଲ କରିଛି, ଯେଉଁଥିରେ ନିୟାମକ ଅନୁପାଳନରେ ସନ୍ତୋଷ ବ୍ୟକ୍ତ କରାଯାଇଛି।
ଅନନ୍ତ ଅମ୍ବାନୀଙ୍କ ‘ବନତାରା’ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଛନ୍ତି ଯେ, ପ୍ରାଣୀ ଶିକାରକୁ ଅନୁମତି ଦେଉଥିବା ଦେଶଗୁଡ଼ିକ ଆପତ୍ତି ଉଠାଇଛନ୍ତି, କାରଣ ଭାରତ କିଛି ଭଲ କରୁଛି। ସେ କହିଛନ୍ତି ଯେ, ରିଲାଏନ୍ସ ଫାଉଣ୍ଡେସନର ବନ୍ୟଜନ୍ତୁ ଅଭୟାରଣ୍ୟ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ସମ୍ପୂର୍ଣ୍ଣ ସହଯୋଗ କରିଛି। କିନ୍ତୁ ଏହି ରିପୋର୍ଟରେ କିଛି ମାଲିକାନା ଓ ଗୋପନୀୟ ସୂଚନା ଅଛି ଯାହା ସାର୍ବଜନୀନ କରାଯିବା ଉଚିତ ନୁହେଁ। କୋର୍ଟ କହିଛନ୍ତି, ଆମେ ରିପୋର୍ଟ ଉପରେ ଦୃଷ୍ଟି ଦେବୁ ଏବଂ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼େ, ତେବେ ଆମେ ନିର୍ଦ୍ଦେଶ ଦେବୁ। ଆମେ ଏପର୍ଯ୍ୟନ୍ତ ଜାଣିଶୁଣି ରିପୋର୍ଟ ଖୋଲିନାହୁଁ, କମିଟି ତୁରନ୍ତ ଏହାର କାର୍ଯ୍ୟ କରିଛି ଏବଂ ଆମେ ଏହାକୁ ପ୍ରଶଂସା କରୁଛୁ। ସୁପ୍ରିମ୍କୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍ ଚେଲମେଶ୍ୱରଙ୍କ ନେତୃତ୍ୱରେ ଚାରିଜଣିଆ ଏସ୍ଆଇଟି ଗଠନ କରିବାର କିଛି ସପ୍ତାହ ପରେ ଏହି ମନ୍ତବ୍ୟ ଆସିଛି। ବେଆଇନ ଭାବେ ପ୍ରାଣୀ, ବିଶେଷ କରି ହାତୀ ଅଧିଗ୍ରହଣ, ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ଓ ଅନ୍ତର୍ଜାତୀୟ ମାନଦଣ୍ଡର ଅନୁପାଳନ, ପ୍ରାଣୀ ଚିକିତ୍ସା ଓ କଲ୍ୟାଣ ମାନଦଣ୍ଡ, ଅଭୟାରଣ୍ୟ ପରିବେଶର ଉପଯୁକ୍ତତା ଓ ଆର୍ଥିକ ସ୍ୱଚ୍ଛତା ଆଦି ଦାବିର ଯାଞ୍ଚ କରିବା ପାଇଁ ଏସ୍ଆଇଟିକୁ ଦାୟିତ୍ବ ଦିଆଯାଇଥିଲା। ହଜାର ହଜାର ଏକର ଜମିରେ ସ୍ଥାପିତ ବନତାରା ବିଶ୍ୱର ସର୍ବବୃହତ୍ ଘରୋଇ ପରିଚାଳିତ ପ୍ରାଣୀ ଯତ୍ନ କେନ୍ଦ୍ର ଭାବରେ ଉଭା ହୋଇଛି, ଯେଉଁଠି ଉଦ୍ଧାର ହୋଇଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ସଂରକ୍ଷଣ ପ୍ରକଳ୍ପ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/untitled-10-2025-09-16-07-08-46.jpg)