ଅଯୋଧ୍ୟା ମାମଲା : ମଧ୍ୟସ୍ଥତାକୁ ଭରସା, ସୁପ୍ରିମ କୋର୍ଟ ଦ୍ବାରା ୩ ଜଣିଆ କମିଟି ଗଠନ

ଏମ୍‌ ଏଫ୍‌ କଲିଫୁଲ୍ଲା କମିଟିର ଅଧ୍ୟକ୍ଷ, ଶ୍ରୀଶ୍ରୀ ରବିଶଙ୍କର, ଶ୍ରୀରାମ ପାଞ୍ଚୁ ସଦସ୍ୟ, ୮ ସପ୍ତାହରେ ଶେଷ ହେବ ସମସ୍ତ ପ୍ରକ୍ରିୟା

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ସମାଧାନ ପାଇଁ ମଧ୍ୟସ୍ଥତାର ରାସ୍ତା ଆପଣାଇଛନ୍ତି ସୁପ୍ରିମ୍‌ କୋର୍ଟ। ଏହି ମାମଲାର ଶୁଣାଣି କରୁଥିବା ୫ ଜଣିଆ ସମ୍ବିଧାନ ପୀଠ ଆଜି ରାମ ଜନ୍ମଭୂମି-ବାବ୍‌ରୀ ମସ୍‌ଜିଦ୍‌ ଜମି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା ହିଁ ଶ୍ରେଷ୍ଠ ପନ୍ଥା ବୋଲି କହିବା ସହ ଏଥିପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି। ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌ଏଫ୍‌ କଲିଫୁଲ୍ଲା ମଧ୍ୟସ୍ଥି ପ୍ୟାନେଲ୍‌ର ଅଧ୍ୟକ୍ଷ ରହିବେ। ଅନ୍ୟ ଦୁଇ ଜଣ ସଦସ୍ୟ ହେଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପାଞ୍ଚୁ। ମଧ୍ୟସ୍ଥତା ଦ୍ବାରା ଏହି ବିବାଦର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ବାରୋପ କରି ସମ୍ବିଧାନ ପୀଠ କହିଛନ୍ତି ଯେ ମଧ୍ୟସ୍ଥତା ପ୍ରକ୍ରିୟା ୪ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଯିବ ଏବଂ ୮ ସପ୍ତାହ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ। ତେବେ ଗୋଟିଏ ସପ୍ତାହରେ ହିଁ ମଧ୍ୟସ୍ଥିଙ୍କ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି।

ଫୈଜାବାଦରେ ମଧ୍ୟସ୍ଥତାକୁ ନେଇ କଥାବାର୍ତ୍ତା ଆରମ୍ଭ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଥାବାର୍ତ୍ତା ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହାକୁ ସଂପୂର୍ଣ୍ଣ ଗୋପନ ରଖାଯିବ। ମଧ୍ୟସ୍ଥି କମିଟିରେ ସାମିଲ ବ୍ୟକ୍ତିବିଶେଷ କିମ୍ବା କୌଣସି ପକ୍ଷ ଏ ସଂକ୍ରାନ୍ତ ତଥ୍ୟ ବାହାରେ ପ୍ରଘଟ କରିବେ ନାହିଁ। ଏହାକୁ ନେଇ ଗଣମାଧ୍ୟମର ରିପୋର୍ଟିଂ ଉପରେ ମଧ୍ୟ କଟକଣା ଲଗାଯାଇଛି। ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି ଯେ କୋର୍ଟଙ୍କ ତତ୍ତ୍ବାବଧାନରେ ‌ଏହି ମଧ୍ୟସ୍ଥତା ପ୍ରକ୍ରିୟା ଚାଲିବ ଏବଂ ଏହାକୁ ଗୋପନୀୟ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବା। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ୬ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି କରିବେ।

ଆବଶ୍ୟକସ୍ଥଳେ ମଧ୍ୟସ୍ଥତା ପାଇଁ ଗଠିତ ପ୍ୟାନେଲରେ ଅନ୍ୟ କୌଣସି ସଦସ୍ୟଙ୍କୁ ମଧ୍ୟ ସାମିଲ କରାଯାଇପାରିବ। ଫୈଜାବାଦରେ ମଧ୍ୟସ୍ଥତା ସଂକ୍ରାନ୍ତ ସମସ୍ତ ଆଲୋଚନା ହେବାକୁ ଥିବାରୁ ଉତ୍ତରପ୍ରଦେଶ ସରକାର ମଧ୍ୟସ୍ଥିଙ୍କ ପାଇଁ ସମସ୍ତ ସୁବିଧାସୁଯୋଗ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ମଧ୍ୟସ୍ଥିମାନେ ଆଇନଗତ ସହାୟତା ବି ନେଇପାରିବେ।

ବୁଧବାର ଏହି ମାମଲାର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟଙ୍କ ସମ୍ବିଧାନ ପୀଠ କହିଥିଲେ ଯେ ଏହି ମାମଲା କେବଳ ଜମି ବିବାଦ ନୁହେଁ, ଏହା ଜନସାଧାରଣଙ୍କ ଧାର୍ମିକ ଭାବନା ସହିତ ମଧ୍ୟ ଜଡ଼ିତ। ଏହି ସମ୍ବିଧାନ ପୀଠରେ ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ଏସ୍‌ଏ ବୋବଡ଼େ, ଡିୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌ ଅବ୍‌ଦୁଲ ନଜିର ଅଛନ୍ତି। ଅତୀତରେ ଯାହା ଘଟିଯାଇଥିଲା ତାହାକୁ ବଦଳାଇ ହେବନାହିଁ ଏବଂ ବର୍ତ୍ତମାନର ସ୍ଥିତି ଆଧାରରେ ନିଷ୍ପତ୍ତି ହେବ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର