ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ ୨-୩ ଦିନ ସମୟ ଦେଲେ ସୁପ୍ରିମ୍‌ କୋର୍ଟ

‘ସବୁକିଛି ପାଇଁ ଲକ୍ଷ୍ମଣ ରେଖା (ସୀମା) ଅଛି’: ଜଷ୍ଟିସ୍‌ ଅରୁଣ ମିଶ୍ର

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏବଂ ସୁପ୍ରିମ୍‌ କୋର୍ଟଙ୍କୁ ଅବମାନନା କରି ଦୋଷୀ ସାବ୍ୟସ୍ତ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କର ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ କୋର୍ଟ ତାଙ୍କୁ ୨-୩ ଦିନ ସମୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ମାମଲାର ଦଣ୍ଡବିଧାନ ଶୁଣାଇବାକୁ ଆଜି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ହେଲେ, ଆଜି ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରି ସେ ଅଗଷ୍ଟ ୧୪ ଆଦେଶର ପୁନଃ ସମୀକ୍ଷା କରିବାକୁ ଚାହୁଁଥିବାରୁ ତାଙ୍କୁ ଏଥିପାଇଁ ୩୦ଦିନ ସମୟ ଦେବାକୁ ଏବଂ ତାଙ୍କ ପ୍ରତି ହେବାକୁ ଥିବା ଦଣ୍ଡବିଧାନକୁ ଅନ୍ୟ ଏକ ଖଣ୍ଡପୀଠରେ କରାଇବାକୁ ଆବେଦନ କରିଥିଲେ। ହେଲେ, ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଆଗତ ଯାଚିକାକୁ ଖାରଜ କରି ଦେଇଥିଲେ ଏବଂ ନିଜ ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ ୨-୩ ଦିନ ସମୟ ଦେଇଥିଲେ।

ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସୁପ୍ରିମ୍‌ କୋର୍ଟ ତାଙ୍କ ବିବୃତିର ଭୁଲ ବୁଝାମଣା କରିଥିବାରୁ ସେ ଯନ୍ତ୍ରଣା ଅନୁଭବ କରିଛନ୍ତି। ତେବେ, ତାଙ୍କର ବିବୃତି ସୀମା ଅତିକ୍ରମ କରିଛି କି ନାହିଁ ତାହାର ପୁନର୍ବିଚାର କରିବାକୁ ଆଜିର ଶୁଣାଣି କାଳରେ ସୁପ୍ରିମ୍‌ କୋର୍ଟ ୬୩ ବର୍ଷିୟ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୁଇରୁ ତିନି ଦିନ ସମୟ ଦେଇଛନ୍ତି।

‘ପୃଥିବୀରେ ଏପରି କେହି ନାହାଁନ୍ତି ଯିଏ ଭୁଲ କରିପାରିବେ ନାହିଁ। ଆପଣ ହୁଏତ ଶହ ଶହ ଭଲ କାମ କରିପାରିବେ କିନ୍ତୁ ଏହା ଆପଣଙ୍କୁ ୧୦ଟି ଅପରାଧ କରିବାକୁ ଲାଇସେନ୍‌ସ ଦେବ ନାହିଁ। ଯାହା ହୋଇଯାଇଛି, ତାହା ହୋଇଯାଇଛି। କିନ୍ତୁ ଆମେ ଚାହୁଁ ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ଅନୁତାପ ହେଉ’, ବୋଲି କହିଛନ୍ତି ଜଷ୍ଟିସ ଅରୁଣ ମିଶ୍ର।

ଜଷ୍ଟିସ ଅରୁଣ କୁମାର ମିଶ୍ର ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି, ‘ଆପଣ ଏହାକୁ ଭଲ ଭାବରେ ପୁନର୍ବିଚାର କରନ୍ତୁ … ଏଠାରେ କେବଳ ଆଇନଜୀବୀର ମସ୍ତିଷ୍କ ପ୍ରୟୋଗ କରନ୍ତୁ ନାହିଁ’। ଜଷ୍ଟିସ ମିଶ୍ର କହିଛନ୍ତି ଯେ ‘କୌଣସି ଅବମାନନା ମାମଲାରେ ଏହା ତାଙ୍କର ପ୍ରଥମ ନିଷ୍ପତ୍ତି। ସବୁକିଛି ପାଇଁ ଲକ୍ଷ୍ମଣ ରେଖା (ସୀମା) ଅଛି। ଏହାକୁ କାହିଁକି ପାର କରାଯାଉଛି? ଜନସାଧାରଣଙ୍କ ସ୍ୱାର୍ଥରେ ଭଲ ମାମଲା ଅନୁସରଣ କରିବାକୁ ଆମେ ସ୍ୱାଗତ କରୁ। କିନ୍ତୁ ମନେରଖନ୍ତୁ, ଏହା ଏକ ଗମ୍ଭୀର ବିଷୟ  ମୁଁ ଜଣେ ବିଚାରପତି ଭାବରେ ୨୪ ବର୍ଷ ମଧ୍ୟରେ କାହାକୁ ଅବମାନନା କରି ନାହିଁ’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର