ନୂଆଦିଲ୍ଲୀ: ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ମହିଳା ପୁଲିସ ଅଧିକ‌ାରୀଙ୍କୁ ଚାପୁଡା ମାରିବା ଘଟଣାରେ ବି‌ରୋଧୀ ଦଳର ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଛି। ଶ୍ରୀ ମିଶ୍ରଙ୍କୁ ପୁଲିସ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ। ପୂର୍ବରୁ ପୁର୍ବରୁ ଜୟନାରାୟଣ ମିଶ୍ର ଓଡିଶା ହାଇକୋର୍ଟରେ ଗିରଫଦାରିକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ। ଓଡିଶା ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ଶ୍ରୀ ମିଶ୍ର ସୁପ୍ରିମକୋର୍ଟ‌ରେ ଏସ୍‌ଏଲ୍‌ପି ଦାୟର କରିଥିଲେ। ଏହି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ହୃଷିକେଶ ରାୟ ଓ ବିଚାରପତି ଜଷ୍ଟିସ୍‌ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠରେ ହୋଇଥିଲା। ଆବେଦନକାରୀ ଜୟନାରାୟଣ ମିଶ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂହ ଖଣ୍ଡପୀଠଙ୍କ ନିକଟରେ ଶ୍ରୀ ମିଶ୍ରଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ମନିନ୍ଦର ସିଂହ କହିଥିଲେ, ଆବେଦନକାରୀ ଜଣେ ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳର ନେତା ରୂପେ ତାଙ୍କର ସାଧାରଣତଃ କାର୍ଯ୍ୟ କରି ଆସୁଥିବାବେଳେ ପୁଲିସ ପକ୍ଷରୁ କେବେ ହେଲେ ତାଙ୍କୁ ‌ଫେବ୍ରୁଆରି ୧୫,୨୦୨୩ ଘଟଣା ପାଇଁ ସମନ କରାଯାଇନାହିଁ। ଓଡ଼ିଶା ହାଇକୋର୍ଟକୁ ତାଙ୍କର ଆଗୁଆ ଜାମିନ ଆଦେନକୁ ବିଚାର କରିବାର ଥିଲା ବୋଲି ଶ୍ରୀ ସିଂହ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଜୟନାରାୟଣ ମିଶ୍ରଙ୍କ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଚାରି ସପ୍ତାହରେ ଜବାବ ତଲବ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଜୟନାରାୟଣ ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂହଙ୍କ ସହିତ ସୁପ୍ରିମକୋର୍ଟର ଆଡଭୋକେଟ ଅନ୍‌ ରେକର୍ଡ ସତୀଶ କୁମାର ଓ ଆଇନଜୀବୀ ସାର୍ଥକ ନାୟକ ମାମଲାର ପରିଚାଳନା କରୁଛନ୍ତି।