ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କଲେ ସୁପ୍ରିମ୍‌ କୋର୍ଟ

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ୨୦୧୮ ମସିହାର ଅନଭୟ ନାଏକ୍ ଆତ୍ମହତ୍ୟା ମାମଲାରେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ସୁପ୍ରିମ କେ‌ାର୍ଟଙ୍କ ଏକ ଛୁଟିକାଳୀନ ଖଣ୍ଡପୀଠ ଅର୍ଣ୍ଣବଙ୍କ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ଜାମିନ ଆବେଦନ ଖାରଜ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନଭେମ୍ବର ୪ ତାରିଖ ଦିନ ଗିରଫ ହୋଇ ସମ୍ପ୍ରତି ନୱି ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ୍‌ ଜେଲ୍‌ରେ ଥିବା ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିବାକୁ ଗତ ସୋମବାର ଦିନ ବମ୍ବେ ହାଇକୋର୍ଟ ମନା କରିଦେଇଥିଲେ। ମଙ୍ଗଳବାର ଦିନ ସେ ବମ୍ବେ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ଆବେଦନକ ଖାରଜ ଆଦେଶକୁ ଚାଲେଞ୍ଜ୍ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ଆଜି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଅଭିଯୁକ୍ତ  ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ମାମଲା ରୁଜୁ ହେବା ଦରକାର। କିନ୍ତୁ ଯଦି କୌଣସି ବ୍ୟକ୍ତି ଉପରେ ଟଙ୍କା ବାକି ଅଛି, ତା’ହେଲେ କ’ଣ ସେଇଟା ଆତ୍ମହତ୍ୟା ପାଇଁ ଉସୁକାଇବା ହେବ? ଆର୍ଥିକ ଅବସ୍ଥା ଭଲ ନ ଥିବାରୁ  ଇଣ୍ଟେରିୟର୍‌ ଡିଜାଇନର୍‌ ଅନଭୟ ନାଏକ ଏବଂ ତାଙ୍କ ମା ଆତ୍ମହତ୍ୟା କରିଥିଲେ। ଏହା କ’ଣ ୩୦୬ଆଇପିସି ଧାରା ଅଧୀନରେ ଆସିବ କି ? ଆମ‌େ ଏଠାରେ ବ୍ୟକ୍ତିଗତ ସ୍ବତନ୍ତ୍ରତା ସହ କାମ କରୁଛୁ। କିନ୍ତୁ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆତ୍ମହତ୍ୟା କରିଥିବା ଲୋକ ପାଇଁ ଜଣଙ୍କୁ ନ୍ୟାୟିକ ହେପାଜତକୁ ନେବା ଠିକ କି? ଯଦି ଏତଲା ବିଚାରାଧୀନ ଥିବାବେଳେ ଜାମିନ ପ୍ରଦାନ ନ ହୁଏ ତେବେ ଏହା ନ୍ୟାୟ ପ୍ରତି ବିଶ୍ୱାସଘାତକତା ହେବ ବୋଲି କହିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼।

Image Courtesy of India.com

ଆଜି ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଅନ୍ତରୀଣ ଜାମିନ ଆବେଦନ ଖାରଜ କରିବା ବମ୍ବେ ହାଇକୋର୍ଟଙ୍କ ଭୁଲ୍‌। ଏହି ମାମଲାରେ ଅନ୍ୟ ଦୁଇ ସହ-ଅଭିଯୁକ୍ତଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି।

ଏଥିସହ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁକ୍ତ କରିବା ଆଦେଶ ପାଳନ ନିମନ୍ତେ ରାୟଗଡ଼ ପୁଲିସ ସୁନିଶ୍ଚିତ ହେବା ଉଚିତ ବୋଲି ଶୀର୍ଷ ଅଦାଲତ କହିଛନ୍ତି। ଅନ୍ତରୀଣ ଜାମିନ ‌ ନିମନ୍ତେ ଅଭିଯୁକ୍ତ ୫୦, ୦୦୦ ଟଙ୍କାର ଏକ ବ୍ୟକ୍ତିଗତ ମୁଚାଲିକା ଦେବାକୁ ମଧ୍ୟ ଅଦାଲତ କହିଛନ୍ତି। ଏହା ବ୍ୟତିରେକେ, ଅଭିଯୁକ୍ତ ପ୍ରମାଣ ପରିବର୍ତ୍ତନ ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ନ କରିବାକୁ ଅଦାଲତ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର