ଏଣ୍ଟିଲିଆ ବୋମା ଆତଙ୍କ ମାମଲା: ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଏଣ୍ଟିଲିଆ ବୋମା ଆତଙ୍କ ମାମଲାରେ ଗିରଫ ହୋଇଥିବା ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ତଥା ଏନ୍କାଉଣ୍ଟର୍ ସ୍ପେସାଲିଷ୍ଟ୍ ପ୍ରଦୀପ ଶର୍ମାଙ୍କୁ ଆଜି ସୁପ୍ରିମ୍ କୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି।
ତାଙ୍କ ସ୍ତ୍ରୀଙ୍କର ଅସ୍ତ୍ରୋପଚାର ହେବାକୁ ଥିବାରୁ ଶର୍ମା ଜାମିନ ପାଇଁ ଆବେଦନ କରିଥିଲେ। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ।
ଶର୍ମାଙ୍କ ତରଫରୁ ବରିଷ୍ଠ ଆଡ୍ଭୋକେଟ୍ ମୁମୁଲ ରୋହତଗି ହାଜର ହୋଇ ଖଣ୍ଡପୀଠଙ୍କୁ କହିଲେ ଯେ, ରକ୍ତଚାପ ଆକସ୍ମିକ ହ୍ରାସବୃଦ୍ଧି ଉେଥିବାରୁ ଏପର୍ଯ୍ୟନ୍ତ ତାଙ୍କ (ପ୍ରଦୀପ) ସ୍ତ୍ରୀଙ୍କର ଅସ୍ତ୍ରୋପଚାର କରାଯାଇନାହିଁ।

ଏହାର ପ୍ରତ୍ୟୁତ୍ତରରେ ଖଣ୍ଡପୀଠ କହିଲେ, ଆମେ ୨ ସପ୍ତାହ ପର୍ଯ୍ୟନ୍ତ ଜାମିନ ମଞ୍ଜୁର କରୁଛୁ। ଯଦି ଅସ୍ତ୍ରୋପଚାର ହୋଇ ନ ପାରେ ତେବେ ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ।
ଅଗଷ୍ଟ ୭ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଏହାପୂର୍ବରୁ, ଅସୁସ୍ଥ ସ୍ତ୍ରୀଙ୍କୁ ଦେଖିଯିବା ପାଇଁ ପ୍ରଦୀପ ଶର୍ମାଙ୍କୁ ଜୁନ୍ ୫ ତାରିଖ ଦିନ ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଏଣ୍ଟିଲିଆ ନିକଟରେ ବିସ୍ଫୋରକ ଭରା ‘ଏସ୍ୟୁଭି’ ଗାଡ଼ି ପାର୍କିଙ୍ଗ୍ କରାଯିବା ଏବଂ ପରେ ପରେ ଥାନେର କାର୍ ଉପକରଣ ଦୋକାନ ମାଲିକ ମନସୁଖ ହିରନ୍ଙ୍କୁ ହତ୍ୟା କରାଯିବା ଘଟଣାରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ୨୦୨୧ ଜୁନ୍ରେ ଗିରଫ କରିଥିଲା।