ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ବୁଧବାର ବହିଷ୍କୃତ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଦକରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଓବିସି ଏବଂ ଭିନ୍ନକ୍ଷମ କୋଟା ଆଧାରରେ ସେ ସଂରକ୍ଷଣ ସୁବିଧା ପାଇବାପାଇଁ ପ୍ରଶାସନିକ ସେବା ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଆଜି ଜଷ୍ଟିସ ବିଭି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠରେ ପୂଜା ଖେଦକରଙ୍କ ଜାମିନ ଆବେଦନର ଶୁଣାଣି ଥିଲା। କୋର୍ଟ ଖେଦକରଙ୍କୁ ଜାମିନ ମଂଜୁର କରିବା ସହ ତାଙ୍କୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ କହିଛନ୍ତି।
ଦିଲ୍ଲୀ ପୁଲିସ ପକ୍ଷରୁ ପୂଜାଙ୍କ ଜାମିନକୁ ବିରୋଧ କରାଯାଇଥିଲା। ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ଏବଂ ତାଙ୍କ ବିରୋଧରେ ଅତି ସାଂଘାତିକ ଅଭିଯୋଗ ରହିଛି ବୋଲି ଦିଲ୍ଲୀ ପୁଲିସର ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ। ଏହାପରେ କୋର୍ଟ କହିଥିଲେ- ସେ କିଭଳି ଗୁରୁତର ଅପରାଧ କରିଛନ୍ତି? ସେ ଆତଙ୍କବାଦୀ ନୁହନ୍ତି କି ହତ୍ୟାକାରୀ ନୁହନ୍ତି। ଆପଣଙ୍କର ଏକ ପଦ୍ଧତି ରହିବା ଉଚିତ। ଆପଣ ତଦନ୍ତ ଶେଷ କରନ୍ତୁ । ସେ ସବୁକିଛି ହରାଇ ଦେଇଛନ୍ତି ଏବଂ କେଉଁଠାରେ ଚାକିରି ବି ପାଇବେନି। ମାମଲାକୁ ଭଲଭାବେ ଅନୁଧ୍ୟାନ କରିବାପରେ ସୁପ୍ରିମ୍କୋର୍ଟ କହିଛନ୍ତି, ଏହା ଏମିତି ଏକ ମାମଲା ଯେଉଁଠି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆବେଦନକାରୀଙ୍କୁ ଜାମିନ ମଂଜୁର କରିବା ଉଚିତ ଥିଲା।