୧୮-୪୪ ଯୁବ ବର୍ଗ ପାଇଁ ଟିକାକରଣ ନୀତି ବେପରୁଆ ଓ ଅଯୌକ୍ତିକ
ଟିକା କ୍ରୟ ବାବଦରେ ସଂପୂର୍ଣ୍ଣ ତଥ୍ୟ ମାଗିଲେ
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟର ମୁକାବିଲା ପାଇଁ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ପ୍ରାୟ ସମସ୍ତ ରାଜ୍ୟରେ ଟିକା ଅଭାବ ଯୋଗୁଁ ଅନେକ କେନ୍ଦ୍ର ବନ୍ଦ ହୋଇଯାଇଛି। ଟିକାକରଣ ସଂକ୍ରାନ୍ତ ମାମଲାର ଶୁଣାଣି କରି ବୁଧବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଟିକାକରଣ ନୀତିର ଭର୍ତ୍ସନା କରିବା ସହିତ କହିଛନ୍ତି ଯେ ୧୮ରୁ ୪୪ ବର୍ଷ ବର୍ଗ ପାଇଁ କେନ୍ଦ୍ର ସରକାର ଯେଉଁ ଟିକାକରଣ ନୀତି ଗ୍ରହଣ କରିଛନ୍ତି ତାହା ଯୁକ୍ତିସଂଗତ ନୁହେଁ। ଏ କ୍ଷେତ୍ରରେ ବେପରୁଆ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଗୋଟିଏ ପଟେ ୪୫ ବର୍ଷରୁ ଅଧିକ ବୟସ ବର୍ଗ ପାଇଁ ମାଗଣାରେ ଟିକା ଉପଲବ୍ଧ କରାଉଥିବା ବେଳେ ୧୮ରୁ ୪୪ ବର୍ଗ ପାଇଁ ଭିନ୍ନ ନୀତି ଅବଲମ୍ବନ କରି ଏଥିପାଇଁ ଅର୍ଥ ପୈଠ କରିବାକୁ ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ଗ୍ରହଣୀୟ ନୁହେଁ। କେନ୍ଦ୍ର ସରକାର ଏ ବାବଦରେ ରାଜ୍ୟ ଓ ଘରୋଇ ହସ୍ପିଟାଲମାନଙ୍କ ଉପରେ କେଉଁ ଆଧାରରେ ଦାୟିତ୍ବ ନ୍ୟସ୍ତ କରିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହାସହିତ ଟିକା କ୍ରୟ ବାବଦରେ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏଲ୍. ନାଗେଶ୍ବର ରାଓ ଏବଂ ଜଷ୍ଟିସ ଏସ୍ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ କୋଭିଡ୍ ଟିକା କେବେ କେବେ କ୍ରୟ କରାଯାଇଛି ଏବଂ ଏଥିପାଇଁ କିଭଳି ପ୍ରକ୍ରିୟା ଗ୍ରହଣ ହୋଇଛି ସେ ବାବଦରେ ବିସ୍ତୃତ ତଥ୍ୟ ୨ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ହେବ। ଦେଶରେ ଟିକାକରଣ ଅଭିଯାନରେ ୩ଟି ପର୍ଯ୍ୟାୟରେ ଗୋଟିଏ ଡୋଜ୍ ଏବଂ ଦୁଇଟି ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ବାବଦରେ ମଧ୍ୟ ତଥ୍ୟ ମାଗିଛନ୍ତି। ଏଥିରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ପୃଥକ ତଥ୍ୟ ଦେବାପାଇଁ କୁହାଯାଇଛି । କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ବିଭିନ୍ନ କରୋନା ଟିକା (କୋଭାକ୍ସିନ, କୋଭିସିଲ୍ଡ ଏବଂ ସ୍ପୁଟନିକ ଭି) କ୍ରୟ ବାବଦରେ ସବିଶେଷ ତଥ୍ୟ ଦାଖଲ କରିବେ ବୋଲି ଜଣାପଡ଼ିଛି ।
କେନ୍ଦ୍ର ସରକାର ଏବେ ୩ଟି ପର୍ଯ୍ୟାୟରେ ସମସ୍ତ ସାବାଳକଙ୍କ ଟିକାକରଣ ପ୍ରକ୍ରିୟା ସାରିବାକୁ ଯୋଜନା କରିଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଟିକାକରଣ କିଭଳି ଓ କେବେ କରିବାକୁ ଚାହୁଛନ୍ତି ସେ ବାବଦରେ ମଧ୍ୟ ସୁପ୍ରିମ୍ କୋର୍ଟ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି। ସରକାର ସମସ୍ତ ସାବାଳକଙ୍କ ଟିକାକରଣ ପ୍ରକ୍ରିୟା କେବେ ସୁଦ୍ଧା ସାରିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ତାହା ଜଣାଇବାକୁ କୁହାଯାଇଛି। ଦେଶର ବିଭିନ୍ନ ଅଂଚଳରେ ଏବେ ବ୍ଲାକ୍ ଫଙ୍ଗସ (ମ୍ୟୁକୋର୍ମାଇକୋସିସ୍) ପାଇଁ ଔଷଧ, ଇଂଜେକ୍ସନ ଅଭାବ ଲାଗି ରହିଥିବାରୁ ଏହି ସମସ୍ୟା ଦୂର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ମଧ୍ୟ ସୁପ୍ରିମ୍ କୋର୍ଟ ତଥ୍ୟ ମାଗିଛନ୍ତି। ରାଜ୍ୟ ସରକାରମାନେ କୋଭିଡ୍ ଟିକା ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ଦେଉଛନ୍ତି କି ନାହିଁ ସେ ବାବଦରେ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ସୁପ୍ରିମ୍ କୋର୍ଟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/supreme-court-india.jpg)