ନୂଆଦିଲ୍ଲୀ: ଶିଳ୍ପପତି ତଥା ଏଡିଏଜି ଗ୍ରୁପ୍‌ ମୁଖ୍ୟ ଅନିଲ ଅମ୍ବାନୀଙ୍କ ଅଡ଼ୁଆ ବଢ଼ିଛି। ସେ ଓ ତାଙ୍କ କମ୍ପାନି ଦ୍ବାରା କରାଯାଇଥିବା ବଡ଼ଧରଣର ବ୍ୟାଙ୍କ ଓ କ‌ର୍ପୋରେଟ୍‌ ଠକେଇର ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ଲାଗି ଆବେଦନ କରି ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ମାମଲାରେ ସୁପ୍ରିମକୋର୍ଟ ଆଜି ସାନି ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇ ଓ ଇଡିକୁ ସେମାନଙ୍କ ତଦନ୍ତ ଅଗ୍ରଗତି ସଂପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ୧୦ ଦିନ ଭିତରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଏହି ଦୁଇ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କୋର୍ଟ କହିଛନ୍ତି ଏହି ମାମଲାରେ ପୂର୍ବରୁ ଅନିଲ ଅମ୍ବାନୀ ଓ ଏଡିଏଜିକୁ ନୋଟିସ ହୋଇଥିଲା। ତେଣୁ କୋର୍ଟରେ ହାଜର ହୋଇ ମତାମତ ରଖିବା ଲାଗି କୋର୍ଟ ସେମାନଙ୍କୁ ଶେଷ ସୁଯୋଗ ପ୍ରଦାନ କରୁଛନ୍ତି। ନୋଟିସ୍‌ ଯେଭଳି ଠିକ୍‌ ଭାବେ ଅନିଲ ଅମ୍ବାନୀ ଓ ଏଡିଏଜି ନିକଟରେ ପହଞ୍ଚିବ ତାହା ନିଶ୍ଚିତ କରିବା ସହ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ୧୦ ଦିନ ପରେ ଏହି ମାମଲାର ପୁନଃଶୁଣାଣି କରିବାକୁ ସ୍ଥିର ହୋଇଛି।

ଆହୁରି ପଢ଼ନ୍ତୁ: Srujana Saptapadi: ‘ସୃଜନ ସପ୍ତପଦୀ’: ‘ସୃଜନ ସପ୍ତପଦୀ’ରେ ଗାଳ୍ପିକ ରବି ପଣ୍ଡା.... ତାଙ୍କ ସହ କିଞ୍ଚିତ୍‌ ଆଳାପ...

ପୂର୍ବତନ କେନ୍ଦ୍ର ସଚିବଙ୍କ ଦ୍ବାରା ପିଆଇଏଲ୍‌ ଦାଖଲ

ପୂର୍ବତନ କେନ୍ଦ୍ର ସଚିବ ଇଏଏସ୍‌ ଶର୍ମାଙ୍କ ଦ୍ବାରା ପିଆଇଏଲ୍‌ ଦାଖଲ ହୋଇଛି। ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ମାମଲା ଲଢ଼ୁଛନ୍ତି। ଗତବର୍ଷ ନଭେମ୍ବର ୧୮ରେ ଏହି ମାମଲାରେ ପ୍ରଥମ ନୋଟିସ କେନ୍ଦ୍ର ସରକାର, ସିବିଆଇ, ଇଡି, ଅନିଲ ଅମ୍ବାନୀ ଓ ଏଡିଏଜି କମ୍ପାନିକୁ ଦିଆଯାଇଥିଲା।
ଭାରତ ଇତିହାସରେ ଏହା ସର୍ବବୃହତ୍‌ କର୍ପୋରେଟ୍‌ ଠକେଇ ବୋଲି କହିବା ସହିତ ପ୍ରଶାନ୍ତ ଭୂଷଣ ଦର୍ଶାଇଥିଲେ ଯେ ବ୍ୟାଙ୍କ ଓ ଅଧିକାରୀମାନଙ୍କ ଭୂମିକାକୁ ଜାଣିବାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିଫଳ ହୋଇଛନ୍ତି। ସେ ଯୁକ୍ତି ଦର୍ଶାଇଥିଲେ ଯେ ୨୦୨୫ରେ ଏତଲା ରୁଜୁ ହୋଇଥିଲା। କିନ୍ତୁ ଏସବୁ ଜାଲିଆତି ୨୦୨୭-୦୮ରେ ହୋଇଥିଲା। ସିବିଆଇ ଓ ଇଡି ସେମାନଙ୍କ ତଦନ୍ତ ପରିସରକୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଭୂଷଣ କୋର୍ଟକୁ ନିବେଦନ କରିଥିଲେ। ଋଣ ‌ଦେଇଥିବା ସଂସ୍ଥା ଓ ସେମାନଙ୍କ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଅସାଧୁ ମେଣ୍ଟକୁ ଠିକ୍‌ଭାବେ ଏହି ସଂସ୍ଥା ଦୁଇଟି ତଦନ୍ତ କରୁନାହାନ୍ତି ବୋଲି ସେ ଦର୍ଶାଇଥିଲେ।

ଆହୁରି ପଢ଼ନ୍ତୁ: Uttar Pradesh: ଭାଗ ଭାଗ ହୋଇଯିବ ଉତ୍ତରପ୍ରଦେଶ!