ନୂଆଦିଲ୍ଲୀ : ବାରଣାସୀରେ ଜ୍ଞାନବାପି ମସଜିଦ୍ ସର୍ଭେ କାର୍ଯ୍ୟ ତୁରନ୍ତ ବନ୍ଦ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଅଂଜୁମାନ ଇନ୍ତେଜାମିଆ ମସ୍ଜିଦ କମିଟି ପକ୍ଷରୁ ଆଜି ବରିଷ୍ଠ ଓକିଲ ହୁଫେଜା ଅହମଦି ଏନେଇ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ସର୍ବେକ୍ଷଣ ଉପରେ ରୋକ୍ ଲଗାଇବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି। ବରିଷ୍ଠ ଆଇନଜୀବୀ ହୁଫେଜା ଏହି ମାମଲାରେ ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ଜରୁରୀ ହସ୍ତକ୍ଷେପ ଚାହିଥିଲେ। ବାରଣାସୀ ସିଭିଲ୍ କୋର୍ଟରେ ବିଚାରାଧୀନ ଥିବା ଏହି ମାମଲାରେ ହସ୍ତକ୍ଷେପ କରି ମସ୍ଜିଦର ସ୍ଥିତାବସ୍ଥା ବଜାୟ ରଖିବାକୁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ସର୍ଭେ ବନ୍ଦ କରିପାରିବେନି ବୋଲି କହିଛନ୍ତି।
ପ୍ରଧାନ ବିଚାରପତି ଆଜି କହିଥିଲେ, ଆମେ ମାମଲାର କୌଣସି କାଗଜ ଦେଖିନୁ। ବିଷୟ କ’ଣ ତାହା ମଧ୍ୟ ଜାଣିନୁ। ତେଣୁ ରାୟ କିଭଳି ଦେବୁ। ପ୍ରଧାନ ବିଚାରପତି କହିଛନ୍ତି, ପ୍ରଥମେ ମୁଁ ବିଷୟ ସଂକ୍ରାନ୍ତରେ ପଢ଼ିବି ଏବଂ ତା’ ପରେ ରାୟ ଦେବି। କୋର୍ଟ କହିଛନ୍ତି, ସଠିକ୍ ସମୟରେ ଏହି ମାମଲାର ବିଚାର ହେବ।
ଉଲ୍ଲେଖଯୋଗ୍ୟ, ବାରଣାସୀ କୋର୍ଟ ଜ୍ଞାନବାପି ମସଜିଦ୍ର ଦୈନିକ ସର୍ବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଶୀ ବିଶ୍ବନାଥ ମନ୍ଦିର ନିକଟସ୍ଥ ଏହି ମସଜିଦ୍ରେ ହିନ୍ଦୁ ଦେବଦେବୀ ଥିବା ନେଇ ଯେଉଁ ଅଭିଯୋଗ ହୋଇଛି ସେ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ କରିବା ସହ ଭିଡିଓଗ୍ରାଫି କରି ସର୍ଭେ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କମିସନର ଏହି ସର୍ଭେ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।