ନୂଆଦିଲ୍ଲୀ : ଦାମ୍ପତ୍ୟ କଳହ ପରେ ସ୍ବାମୀଠାରୁ ଅଲଗା ରହୁଥିବା ଜଣେ ସ୍ତ୍ରୀ ମୁମ୍ବାଇ ସହରରେ ସ୍ବାମୀଙ୍କ ଗୃହ ପରି ଏକ ସମାନ ବିଳାସପୂର୍ଣ୍ଣ ବିକଳ୍ପ ଗୃହ ଦାବି କରିଥିବା ବେଳେ ସୁପ୍ରିମ୍‌କୋର୍ଟ ଏହି ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହାର ଆଉ ଏକ ବିକଳ୍ପ ସ୍ବରୂପ ସ୍ବାମୀ ଘରେ ରହିବା ପାଇଁ ଅନୁମତି ଦେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଥିଲେ। କାରଣ ତାଙ୍କ ଭିତରେ ତିକ୍ତତା ଏପରି ଚରମକୁ ଯାଇଛି ଯେ, ସ୍ବାମୀ ଗୃହରେ ରହିବାକୁ ଅନୁମତି ଦେଲେ ପୁଣି କିଛି ଆପରାଧିକ ଘଟଣା ଘଟିପାରେ ବୋଲି କୋର୍ଟ ମତ ଦେଇଥିଲେ।

Advertisment

ସୂଚନାଯୋଗ୍ୟ ଯେ, ମୁମ୍ବାଇର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ରହୁଥିବା ଦମ୍ପତିଙ୍କ ଭିତରେ ଫାଟ ସୃଷ୍ଟି ହେବାରୁ ସ୍ତ୍ରୀ ସ୍ବ-ଇଚ୍ଛାରେ ସ୍ବାମୀଙ୍କ ଘର ଛାଡ଼ିଦେଇଥିଲେ। ପୂର୍ବରୁ ତାଙ୍କୁ କୋର୍ଟ କହିଥିଲେ ଯେ ସେ ନିଜ ଇଚ୍ଛାରେ ମୁମ୍ବାଇରେ ଏକ ଭଡ଼ାଘର ବାଛନ୍ତୁ, ଯାହାର ଭଡ଼ା ସ୍ବାମୀ ଦେବେ। ଘରଟି ସ୍ବାମୀଙ୍କ ଘରର ଅନୁରୂପ ହୋଇଥିବ। ପରେ କୋର୍ଟ ବାନ୍ଦ୍ରା-ସ୍ଥିତ ଫ୍ୟାମିଲି କୋର୍ଟର ରେଜିଷ୍ଟ୍ରାରଙ୍କୁ କହିଥିଲେ ଏକ ଭଲ ଭଡ଼ାଘର ଖୋଜିବା ପାଇଁ ଜଣେ ଆର୍କିଟେକ୍ଟଙ୍କୁ ନିଯୁକ୍ତ କରିବା ଲାଗି। ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ଘରଟି ପାଖାପାଖି ଆକାରରେ ସ୍ବାମୀଙ୍କ ଘର ପରି ହୋଇଥିବ ଏବଂ ବାନ୍ଦ୍ରା ଓ ଜୁହୁ ଅଞ୍ଚଳ ଭିତରେ ଘରଟି ହୋଇଥିବ। ମାର୍ଚ୍ଚ ୬, ୨୦୨୦ରେ କୋର୍ଟ ଏ ଆଦେଶ ଦେଇଥିଲେ। ୟା ଭିତରେ ଆର୍କିଟେକ୍ଟ ଜଣକ ୧୭ଟି ଘର ଦେଖାଇଥିଲେ ମଧ୍ୟ (ସେଥି ମଧ୍ୟରୁ ସବୁଠାରୁ ଦାମୀ ଘରର ମାସିକ ଭଡ଼ା ୩୦ ଲକ୍ଷ ଟଙ୍କା) ସ୍ତ୍ରୀଙ୍କର କୌଣସି ଘର ପସନ୍ଦ ହୋଇ ନ ଥିଲା। ସବୁ ଘରକୁ ସେ ସ୍ବାମୀଙ୍କ ଘରଠାରୁ ଛୋଟ ଓ ସମାନ ବିଳାସପୂର୍ଣ୍ଣ ହୋଇ ନ ଥିବା ମତ ଦେଇଥିଲେ।

ଜଷ୍ଟିସ୍ ଏଲ୍‌ ନାଗେଶ୍ବର ରାଓ ଓ ବିଆର୍ ଗୱାଇଙ୍କ ଖଣ୍ଡପୀଠ ସ୍ତ୍ରୀଙ୍କ ଏ ପ୍ରକାର ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ। ସେମାନେ କହିଥିଲେ ଯେ ସ୍ବାମୀଙ୍କ ଘର ପରି ସମାନ ଘର ସମାନ ଇଲାକାରେ ମିଳିବା ସମ୍ଭବ ନୁହେଁ। ସେଥିପାଇଁ ଅନୁରୂପ ଘର କଥା କୁହାଯାଇଥିଲା, ସମାନ ଘର ନୁହେଁ। ସ୍ବାମୀ-ସ୍ତ୍ରୀ ଭିତରେ ତିକ୍ତତା ଚରମକୁ ଯାଇଥିବାରୁ ସ୍ବାମୀଙ୍କ ଘରେ ରହିବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ଏହାପରେ ସ୍ତ୍ରୀ ଦାବି କରିଥିଲେ ଯେ ତାଙ୍କ ସ୍ବାମୀ ତାଙ୍କୁ ମାସିକ ୩୫ ଲକ୍ଷ ୩୭ ହଜାର ଟଙ୍କା ଭଡ଼ା ବାବଦକୁ ଦିଅନ୍ତୁ। ପୂର୍ବରୁ ଫ୍ୟାମିଲି କୋର୍ଟ ଅନ୍ତରୀଣ ଭରଣପୋଷଣ ଖର୍ଚ୍ଚ ବାବଦକୁ ସ୍ତ୍ରୀ ପାଇଁ ମାସିକ ୭ ଲକ୍ଷ ଓ ତାଙ୍କ ଝିଅ ପାଇଁ ମାସିକ ୫ ଲକ୍ଷ ଟଙ୍କା ଦେବାକୁ ସ୍ବାମୀଙ୍କୁ ଆଦେଶ ଦେଇଥିଲେ। ଏହି ଦେୟ ଛଡ଼ା ଘରଭଡ଼ା ବାବଦକୁ ମାସିକ ୩୫.୩୭ ଲକ୍ଷ ଟଙ୍କା ଦେବାକୁ ସ୍ତ୍ରୀ ନିବେଦନ କରିଥିଲେ। କିନ୍ତୁ ସ୍ବାମୀ ଯେତିକି ଦେଇପାରିବେ, ଏହି ପରିମାଣ ତା’ଠାରୁ ଅଧିକ ବୋଲି କୋର୍ଟ ପୂର୍ବ ରେକର୍ଡ ଅନୁସାରେ କହିଥିଲେ। ଛାଡ଼ପତ୍ର ମାମଲା ୬ ବର୍ଷ ଧରି ପଡ଼ିରହି ଥିବାରୁ ତୁରନ୍ତ ତାହାର ଫଇସଲା କରିବା ପାଇଁ ସର୍ବୋଚ୍ଚ କୋର୍ଟ ଫ୍ୟାମିଲି କୋର୍ଟକୁ ଆଦେଶ ଦେଇଥିଲେ। ଏଥି ସହ କୋର୍ଟ ଅଭିଯୋଗକାରିଣୀ ସ୍ତ୍ରୀକୁ କହିଥିଲେ, ଆର୍କିଟେକ୍ଟ ତାଲିକା ଦେଇଥିବା ୧୭ଟି ଘର ଭିତରୁ ଯେଉଁ ଘରେ ଇଚ୍ଛା ସେ ରହିପାରନ୍ତି ଏବଂ ତା’ର ଭଡ଼ା ତାଙ୍କ ସ୍ବାମୀ ଦେଇଦେବେ।