ନୂଆଦିଲ୍ଲୀ : କଟକ ସହରର ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା ନେଇ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଶୁଣାଣି ନେଇ କୋର୍ଟ ଏଯାବତ୍‌ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରିନାହାନ୍ତି। ଆଜି ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ଅମିତାଭ ରାୟଙ୍କ ଖଣ୍ଡପୀଠରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା ସମ୍ପର୍କିତ ଏକାଧିକ ମାମଲାର ଶୁଣାଣି ପାଇଁ ତାଲିକା କରାଯାଇଥିଲା।

Advertisment

ପୂର୍ବରୁ ରାଜ୍ୟମାନଙ୍କ ପକ୍ଷରୁ ବେଆଇନ ଧର୍ମାନୁଷ୍ଠାନ ସମ୍ପର୍କିତ ସମସ୍ତ ସୂଚନା ଖଣ୍ଡପୀଠଙ୍କୁ ପ୍ରଦାନ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟ ମାନଙ୍କରେ ଗଢ଼ି ଉଠିଥିବା ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା ବିଚାର କରି ନିଷ୍ପତ୍ତି ନେବାପାଇଁ ଆଜି ସୁପ୍ରିମକୋର୍ଟ ସମ୍ବନ୍ଧିତ ରାଜ୍ୟର ହାଇକୋର୍ଟଙ୍କ ନିକଟକୁ ମାମଲା ପଠାଇ ଦେଇଥିଲେ। ହାଇକୋର୍ଟ ରାଜ୍ୟଗୁଡ଼ିକର ଭୌଗୋଳିକ ସ୍ଥିତି ସମ୍ପର୍କରେ ଯଥେଷ୍ଟ ଅବଗତ ଥିବାରୁ ହାଇକୋର୍ଟ ଏହି ମାମଲାର ଉପଯୁକ୍ତ ବିଚାର କରି ସମାଧାନ କରିପାରିବେ ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ। ଯଦି ହାଇକୋର୍ଟରେ ମାମଲାର ସମାଧାନ ହୋଇପାରନୁାହିଁ ତେବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରିବେ କହି ସୁପ୍ରିମକୋର୍ଟ ଏହି ମାମଲା ଗୁଡ଼ିକୁ ଡିସପୋଜ୍‌ ଅଫ୍‌ କରିଦେଇଥିଲେ।

ଅପରପକ୍ଷେ କଟକ ସହରର ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା ସମ୍ପର୍କିତ ହାଇକୋର୍ଟଙ୍କ ରାୟ ବିରୋଧରେ ଦାଖଲ କରାଯାଇଥିବା ମାମଲା ଗୁଡ଼ିକର ଶୁଣାଣି ସୁପ୍ରିମକୋର୍ଟରେ ହେବାକଥା ଖଣ୍ଡପୀଠ କହିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ୨୯ ସେପ୍ଟେମ୍ବର ୨୦୦୯ ନିର୍ଦ୍ଦେଶକୁ ପାଳନ କରିନଥିବା ଦର୍ଶାଇ କଟକ ସହରର ୩୦ରୁ ଊର୍ଦ୍ଧ୍ୱ ମନ୍ଦିର ଓ ଆଶ୍ରମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୩ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକରେ ବେଆଇନ ଭାବେ ଗଢ଼ି ଉଠିଥିବା ଧର୍ମାନୁଷ୍ଠାନମାନଙ୍କ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। କଟକ ସହରର ବିଭିନ୍ନ ମନ୍ଦିର ଓ ଆଶ୍ରମମାନଙ୍କ ଆବେଦନ ଗୁଡ଼ିକର ଶୁଣାଣି କରି ମେ’ ୨୦୧୩ରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିଲେ। ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ବେଆଇନ ଧର୍ମାନୁଷ୍ଠାନ ଗୁଡ଼ିକର ତଥ୍ୟ ସତ୍ୟପାଠ ଆକାରରେ ପ୍ରଦାନ କରାଯାଇଥିଲା। ଓଡ଼ିଶାରେ ୨୦,୨୩୧ ଧର୍ମାନୁଷ୍ଠାନ ବେଆଇନ ଭାବେ ସରକାରୀ ଜାଗାରେ ଗଢ଼ି ଉଠିଥିବା ତଥ୍ୟ କୋର୍ଟରେ ପ୍ରଦାନ କରାଯାଇଥିଲା। ରାଜ୍ୟରେ ୯୪୭ଟି ବେଆଇନ ଧର୍ମାନୁଷ୍ଠାନ ଗୁଡ଼ିକର ଉଚ୍ଛେଦ କରାଯାଇଥିବା ସରକାର ପୂର୍ବ ଶୁଣାଣିରେ କୋର୍ଟଙ୍କୁ ଅବଗତ କରାଇଥିଲେ।