କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ପୂର୍ଣ୍ଣାଙ୍ଗ ତଥ୍ୟ ନାହିଁ
ମହାପ୍ରଭୁଙ୍କ ସଂପତ୍ତି ଖବର ବି ରଖିନାହାନ୍ତି
ଅଦାଲତ ଅବମାନନା ଅଭିଯୋଗ ହେଲେ ଶୁଣିବେ
କୋର୍ଟରେ ଖଣ୍ଡପୀଠ ଦେଲେ ବଡ଼ ମନ୍ତବ୍ୟ
୪ ସପ୍ତାହ ପରେ ପରବର୍ତୀ ଶୁଣାଣି

Advertisment

ନୂଆଦିଲ୍ଲୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କର ଆନ୍ତରିକତା କେତେ ତାହା ଧରାପଡ଼ିଯାଇଛି। ୨୦୧୯ ନଭେମ୍ବର ୪ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଅନ୍ତରୀଣ ଆଦେଶନାମା ଜାରି କରିଥିଲେ ସେ ସଂକ୍ରାନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଗତକାଲି ଦାଖଲ ହୋଇଥିଲା। କିନ୍ତୁ ଏହା ଖୋଦ୍ ଆମିକସ୍ କ୍ୟୁରି ରଣଜିତ କୁମାରଙ୍କୁ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ କରିପାରିନାହିଁ।

ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ ଏ ବୋବଡେ, ବିଚାର ପତି ବି ଆର ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆମିକସ୍‌ କ୍ୟୁରି ଏ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାଖଲ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଅନେକ ପ୍ରସଙ୍ଗ ବାଦ ପଡ଼ିଛି। ସେଥିରେ ଆହୁରି କିଛି ପ୍ରସଙ୍ଗର କାର୍ଯ୍ୟକାରିତା ସାମିଲ କରିବାର ଆବଶ୍ୟକତା ରହିଛି। କାର୍ଯାନୁଷ୍ଠାନ ରିପୋର୍ଟକୁ ଅନୁଧ୍ୟାନ କରି ସେଥିରେ ଆଉ କିଛି ପ୍ରସଙ୍ଗକୁ ସାମିଲ କରିବା ପାଇଁ ଶ୍ରୀ କୁମାର ଖଣ୍ଡପୀଠଙ୍କ ନିକଟରୁ ଦୁଇ ସପ୍ତାହ ସମୟ ଲୋଡ଼ିଥିଲେ। ଜଣାଇଥିଲେ ଯେ ଶ୍ରୀ ଜଗନ୍ନାଥ ପରିଚାଳନା କମିଟି ଦ୍ବାରା ଦାଖଲ ରିପୋର୍ଟରେ ‘ମେନି ଥିଙ୍ଗ୍‌ସ୍ ଲ୍ୟାକିଂ, ମେନି ଥିଙ୍ଗସ୍ ଟୁ ବି ରିକ୍ବାୟରଡ’। ଦୁଇ ସପ୍ତାହ ଭିତରେ ସେ ଏକ ସଂକ୍ଷିପ୍ତ ବିବରଣୀ ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରିବେ।

ଅନ୍ୟପକ୍ଷରେ ମାମଲାଟି ସେତେବେଳେ ଭିନ୍ନ େମାଡ ନେଇଥିଲା, ଯେତେବେଳେ ଏହି ମାମଲାରେ ପକ୍ଷଭୁକ୍ତ ଥିବା ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ୍ ଫର୍ ଲୟର୍ସ ପକ୍ଷରୁ ଏହାର ଅଧ୍ୟକ୍ଷ ଦେବାଶିଷ ମିଶ୍ର ଅଦାଲତଙ୍କ ସାମ୍ନାରେ ଏକ ବଡ଼ ଅଭିଯୋଗ ଆଣିଥିଲେ। ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ ଗତ ନଭେମ୍ବର ୪ର ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ସେ ଏହି ଅବସରରେ ତିନିଟି ପ୍ରସଙ୍ଗକୁ ନେଇ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ ଯେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ କୌଣସି ତଥ୍ୟ ଉଲ୍ଲେଖ କରାଯାଇନାହିଁ। ଶ୍ରୀ ମିଶ୍ର କହିଥିଲେ ଯେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ କେବଳ ଏକ ଆଇଵାସ୍ ବୋଲି କୁହାଯାଇପାରେ। କାରଣ, ମଠ ଗୁଡ଼ିକର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି, ଯାହା ଦାଖଲ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟରୁ ଜଣାପଡିଛି। ସରକାର ଏତେ ଉଦାସୀନ ଯେ ବର୍ତ୍ତମାନ ସୁଦ୍ଧା ଅଦାଲତଙ୍କ ନିକଟରେ ମହଜୁଦ୍ ଥିବା ୫ କୋଟି ଟଙ୍କାକୁ ନେବା ପାଇଁ କୌଣସି ଉଦ୍ୟମ କରିନାହାନ୍ତି। ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେଉଥିବା କାରଣରୁ ୪ ନଭେମ୍ବର ଅନ୍ତରୀଣ ନିର୍ଦ୍ଦେଶନାମାରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ ଶ୍ରୀମନ୍ଦିର ପରିଚାଳନା ପାଇଁ ପୁର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରାଯିବା ଦରକାର। ମାତ୍ର କୋର୍ଟଙ୍କ ନିର୍ଦେଶ ସତ୍ତ୍ବେ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଇନାହାନ୍ତି, ଯାହା ତାଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟରୁ ସୂଚନା ମିଳୁଛି।

କୋର୍ଟ ଏହାକୁ ଗମ୍ଭୀରତାର ସହିତ ନେଇ କହିଥିଲେ ଯେ ଯଦି ନିର୍ଦ୍ଦେଶନାମାର ପାଳନ କରାଯାଇ ନାହିଁ ବୋଲି ଅଭିଯୋଗ ଅଛି ତାହାହେଲେ ଶ୍ରୀ ମିଶ୍ର ଅଦାଲତ ଅବମାନନା ମାମଲା ରୁଜୁ କରିପାରିବେ। କୋର୍ଟ ଏହାର ଶୁଣାଣି କରିବେ ବୋଲି ଖଣ୍ଡପୀଠ ରୋକ୍‌ଠୋକ୍ ଶୁଣାଇଥିଲେ। ଆଜିର ଶୁଣାଣି ସମୟରେ ମଙ୍ଗୁ ମଠ ପୁନଃରୁଦ୍ଧାର ମାମଲା ନେଇ ମଧ୍ୟ ମଠ ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯିବା ଲାଗି ପ୍ରୟାସ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ କହିଥିଲେ।

ଆଜିର ଶୁଣାଣି ଶେଷ ପରେ କୋର୍ଟ ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ଓକିଲ ଶ୍ବେତକେତୁ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ଗତକାଲି ଶ୍ରୀମନ୍ଦିର ସଂସ୍କାର ମାମଲାରେ ଯେଉଁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି ସେଥିରେ ଦୁଇ ତିନିଟି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇନାହିଁ। ଏହାକୁ ପରବର୍ତ୍ତୀ ସମୟରେ କୋର୍ଟକୁ ଅବଗତ କରାଯିବ ବୋଲି କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ତରୀଣ ନିର୍ଦ୍ଦେଶନାମା ଅନୁସାରେ ଅନ୍ୟ ସମସ୍ତ ପ୍ରସଙ୍ଗ ଉପରେ ପଦକ୍ଷେପ ନିଆଯାଇଛି, ଯାହା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ତେବେ ଏହି ଆଳରେ ଶ୍ରୀ ମିଶ୍ର କିନ୍ତୁ ପରୋକ୍ଷରେ ଏକ ବଡ଼ ସତ୍ୟ ସାମ୍ନାକୁ ଆଣିଥିଲେ। ସୂଚନା ଦେଇ କହିଥିଲେ ଯେ ଶ୍ରୀମନ୍ଦିର ଖର୍ଚ୍ଚର ତଥ୍ୟ ତଥା ଶ୍ରୀ ମନ୍ଦିରର ସମ୍ପତ୍ତି ସଠିକ ବିବରଣୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଏହା ସମୟ ସାପେକ୍ଷ ହୋଇଥିବାରୁ ଦାଖଲ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଉଲ୍ଲେଖ କରାଯାଇ ପାରିନାହିଁ। ତଥ୍ୟ ଏକତ୍ରିତ ହେବା ପରେ ଅତିରିକ୍ତ ସତ୍ୟପାଠ ଜରିଆରେ ଖଣ୍ଡପୀଠଙ୍କ ନିକଟରେ ଏହା ଦାଖଲ କରାଯିବ। ଅର୍ଥାତ୍ ମହାପ୍ରଭୁଙ୍କ ସଂପତ୍ତି ନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଆବଶ୍ୟକ ତଥ୍ୟ ନାହିଁ ଓ ସରକାର ଏହାକୁ ହାଲକା ଭାବେ ନେଇଛନ୍ତି େବାଲି ଯେଉଁ ଅଭିଯୋଗ ହେଉଥିଲା, ତାହା ଅସତ୍ୟ ନଥିଲା।

ଆମିକସ୍ କ୍ୟୁରିଙ୍କ ଦ୍ବାରା ରିପୋର୍ଟ ଦାଖଲ ପରେ ତାହାକୁ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅନୁଧ୍ୟାନ କରିବ ଓ ପ୍ରୟୋଗ ପାଇଁ ଉଦ୍ୟମ କରିବ ବୋଲି ସେ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଆଜି ଅପରାହ୍ନରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ମଧ୍ୟ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ତିନିଟି ପରାମର୍ଶ ଦିଆଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା, ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଅର୍ଥ ସଂଗ୍ରହ ଉପରେ କଟକଣା ଆଦି ଅନ୍ତର୍ଭୁକ୍ତ।