ସିବିଆଇ ବନାମ ସିବିଆଇ: ନାଗେଶ୍ୱରଙ୍କୁ ସରକାର ନିର୍ଦ୍ଦେଶକ ପଦବିରେ ବସାଇଲେ ସତ; କିନ୍ତୁ ହାତ ବାନ୍ଧିଦେଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ସିବିଆଇ ବନାମ ସିବିଆଇ ମାମଲାରେ ଆଜି ସରକାରଙ୍କୁ ଏକ ଜୋର୍‌ ଝଟକା ଲଗାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ। ଏହିମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କମିଟି ରାତିଅଧିଆ ନିଷ୍ପତ୍ତି ନେଇ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ଅତିରିକ୍ତ ନିର୍ଦ୍ଦେଶକ ଏ କେ ଶର୍ମାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଠାଇଦେବା ସହ ସଂସ୍ଥାରେ ଚତୁର୍ଥ ନମ୍ବର ସ୍ଥାନରେ ଥିବା ଏମ୍‌ ନାଗେଶ୍ୱର ରାଓଙ୍କୁ ସଂପୂର୍ଣ୍ଣ ନାଟକୀୟ ଢ଼ଙ୍ଗରେ ଗତ ୨୩ ତାରିଖ ମଧ୍ୟରାତ୍ରରେ ସଂସ୍ଥାର ଅନ୍ତରୀଣ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରିଦେବା ସହ ତଦନ୍ତରେ ସଂପୃକ୍ତ ଥିବା ଡଜନେ ସରିକି ଅଧିକାରୀଙ୍କୁ ରାତାରାତି ବଦଳି କରି ଦେଇଥିଲେ। ଏହାପରେ ସ୍ୱାଭାବିକ ଭାବେ ସରକାର ଧରି ନେଇଥିଲେ ଯେ ସମସ୍ୟା ଓ ସଙ୍କଟର ସମାଧାନ ହୋଇଗଲା ଏବଂ ସରକାରଙ୍କ ଭାବମୂର୍ତ୍ତି ମଧ୍ୟ ବଞ୍ଚିଗଲା। ଏପରି ଭାବନାକୁ ଧରି ସରକାର ଟିକେ ଶାନ୍ତିରେ ନିଃଶ୍ୱାସ ମାରୁଥିବା ବେଳେ ସରକାରଙ୍କ ଏ ଭାବନାକୁ ଆଜି ଭୁଲ୍‌ ପ୍ରମାଣିତ କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ।

ଏହି ମାମଲାରେ ହସ୍ତକ୍ଷେପ କରି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ସ୍ପଷ୍ଟ କରି ଦେଇଛନ୍ତି ଯେ, ସିବିଆଇ ନିର୍ଦ୍ଦେଶକ ପଦବୀରେ ଏମ୍‌ ନାଗେଶ୍ୱର ରାଓଙ୍କ ନିଯୁକ୍ତି ଆଇନ୍‌ ସମ୍ମତ୍ତ ନୁହେଁ। ସେଥିପାଇଁ ସେ କେବଳ ନାମକୁ ମାତ୍ର ନିର୍ଦ୍ଦେଶକ ପଦବୀରେ ରହି ସଂସ୍ଥାର ଦୈନନ୍ଦିନ ବ୍ୟାପାରକୁ ବୁଝିବେ। କୌଣସି ପ୍ରକାରର ନୀତିଗତ ନେଇପାରିବେ ନାହିଁ। ୨୩ ଠାରୁ ଯାହା ବି କିଛି ନୀତିଗତ ନିଷ୍ପତ୍ତି ନେଇଛନ୍ତି ତାକୁ ବନ୍ଦ ଲଫାପାରେ ଅଦାଲତଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନାଗେଶ୍ୱର ୨୩ ତାରିଖ ମଧ୍ୟରାତ୍ରରେ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହେବା ପରେପରେ ସିବିଆଇ ବନାମ ସିବିଆଇ ଦୁର୍ନୀତି ତଦନ୍ତରେ ସଂପୃକ୍ତ ଡଜନେ ସରିକି ଅଧିକାରୀଙ୍କୁ ରାତାରାତି ଯେଉଁ ବଦଳି ନିର୍ଦ୍ଦେଶ ଜାରି କରିଥିଲେ ତାକୁ ମଧ୍ୟ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କୁ ନିର୍ଦ୍ଦେଶ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକଙ୍କ ନିରୀକ୍ଷଣରେ ସିଭିସି ୧୦ ଦିନ ମଧ୍ୟରେ ସିବିଆଇ ବନାମ ସିବିଆଇ ଦୁର୍ନୀତି ଘଟଣାର ତଦନ୍ତ ଶେଷ କରି ତଦନ୍ତ ରିପୋର୍ଟ ବନ୍ଦ ଲଫାପାରେ ସୁପ୍ରିମ୍‌ କୋର୍ଟଙ୍କୁ ପ୍ରଦାନ କରିବେ। ଏବଂ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ସିଭିସିଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ନଭେମ୍ବର ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରି ଯେଉଁ ରାୟ ଦେବେ ତାହା କାର୍ଯ୍ୟକାରୀ ହେବ। ଏବିବାଦକୁ ସର୍ବୋଚ୍ଚ ଅଦାଲତ ଯଥାଶୀଘ୍ର ସମ୍ଭବ ଶେଷ କରିବେ ଏବଂ ଏହାକୁ ଅଧିକ କାଳ ପର୍ଯ୍ୟନ ଚାଲିବାକୁ ଦେବେ ନାହିଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ଆଜି ଭରପୂର ଅଦାଲତରେ ବେଶ ଶାଣିତ କଣ୍ଠରେ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର