ସୁପ୍ରିମକୋର୍ଟରେ କୋଟିଆ ଶୁଣାଣି ୯ରେ

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରେ ସୁପ୍ରିମକୋର୍ଟ କୋଟିଆ ପ୍ରସଙ୍ଗରେ ଶୁଣାଣି କରିବେ। ଏହାପୂର୍ବରୁ ଗତ ଶନିବାର ଦିନ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦ ପୃଷ୍ଠାର ଜବାବୀ ସତ୍ୟପାଠ ଦାଖଲ କରାଯାଇଛି।

ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ଓଡ଼ିଶା ପକ୍ଷରୁ ଆନ୍ଧ୍ର ଦାଖଲ କରିଥିବା ଜବାବର ପ୍ରତିଜବାବ ଦାଖଲ କରାଯାଇଛି। ପ୍ରତି ଜବାବରେ ୩୧ଟି ନଥିପତ୍ର ରହିଛି , ଯାହାକି ମାମଲାର ବିଚାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ନିଜର ପକ୍ଷକୁ ଦୃଢ଼ କରିବା ପାଇଁ ତଥା ଆନ୍ଧ୍ରର ଜବାବ ଗୁଡ଼ିକକୁ ଭିତ୍ତିହୀନ ବୋଲି ଦର୍ଶାଇବା ପାଇଁ ଜନଗଣନା ରିପୋର୍ଟ, ଭୋଟର ତାଲିକା ତଥା ଚିଠିପତ୍ରର ନକଲ ଏଥିରେ ସଂଲଗ୍ନ କରାଯାଇଛି। ଏହିସବୁ କାଗଜପତ୍ର କୋଟିଆକୁ ଓଡ଼ିଶାର ବୋଲି ପ୍ରମାଣ କରିବାରେ ସହାୟକ ବୋଲି ଓଡ଼ିଶାର ଲିଗାଲ ଟିମ୍ ଆଶା ବାନ୍ଧିଛନ୍ତି। ଏହାବାଦ୍‌ ଏହି ମାମଲାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ ପାଇଁ ଓଡ଼ିଶାର ଲିଗାଲ୍‌ ଟିମ୍‌ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଆବଶ୍ୟକ ‌ହେଲେ ଶୁଣାଣି ସମୟରେ ଆଉ କିଛି ଦସ୍ତାବିଜ୍‌ ଦାଖଲ କରାଯିବାର ମଧ୍ୟ ସମ୍ଭାବନା ରହିଛି।

ଅପରପକ୍ଷରେ ଓଡ଼ିଶା ପକ୍ଷରୁ କାଉଣ୍ଟର ଆଫିଡେଭିଟ୍ ବା ଜବାବୀ ସତ୍ୟପାଠ ଦାଖଲ କରାଯିବା ପରେ ଆନ୍ଧ୍ର କୌଣସି ସାନି କାଗଜପତ୍ର ଦାଖଲ କରିବ ନାହିଁ। ଏହି ମାମଲା ଲଢ଼ୁଥିବା ଆନ୍ଧ୍ରପ୍ରଦେଶଙ୍କ ଓକିଲ ଏହା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ଆଦେଶର ଉଲ୍ଲଂଘନ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ କୋଟିଆ ସଂକ୍ରାନ୍ତରେ ରାଜ୍ୟ ସରକାର ଅଦାଲତ ଅବମାନନା ଦାଖଲ କରିଛନ୍ତି। ମାମଲାର ଦୁଇଥର ଶୁଣାଣି ହୋଇସାରିଛି।

ସମ୍ବନ୍ଧିତ ଖବର