କମିଟି ବଦଳାଇବା ଦାବିରେ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ

ପକ୍ଷପାତର ପ୍ରଶ୍ନ ଉଠୁନାହିଁ
କମିଟି ଆଇନ ସଂକ୍ରାନ୍ତ ନିଷ୍ପତ୍ତି ନେବାକୁ ଗଠନ ହୋଇନାହିଁ, ବିବାଦର ସମାଧାନ ପାଇଁ ଗଠନ ହୋଇଛି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ନିମନ୍ତେ ସୁପ୍ରିମ୍‌ କୋର୍ଟ ଯେଉଁ କମିଟି ଗଠନ କରିଛନ୍ତି ତାହାକୁ ବିରୋଧ କରି ଲଗାତାର ଚାଷୀ ସଂଗଠନ ଏବଂ କେତେକ ବିରୋଧୀ ଦଳ ବୟାନ ଦେଉଛନ୍ତି। ଏହାକୁ ନେଇ ଆଜି ସୁପ୍ରିମ୍‌ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ କମିଟିର ସମସ୍ତ ସଦସ୍ୟ ନିଜ ନିଜ କ୍ଷେତ୍ରରେ ବିଶେଷଜ୍ଞ। ନୂଆ ଆଇନକୁ ପ୍ରତ୍ୟାହାର କରିବା କିମ୍ବା କାଏମ ରଖିବା ପାଇଁ ଏହି କମିଟି ଗଠନ ହୋଇନାହିଁ, କମିଟି ବିବାଦର ସମାଧାନ ନିମନ୍ତେ ପରାମର୍ଶ ଦେବାକୁ ଗଠନ ହୋଇଛି। ଏଥିରେ ପକ୍ଷପାତ, ସଲାସୁତରାର ପ୍ରଶ୍ନ ଉଠିଲା କେଉଁଠୁ ବୋଲି ପ୍ରଧାନ ବିଚାରପତି ଏସ୍‌. ଏ. ବବ୍‌ଡେ କହିଛନ୍ତି। ଯଦି କମିଟିର କୌଣସି ସଦସ୍ୟ ଏହି ପ୍ରସଙ୍ଗରେ ପୂର୍ବରୁ କେଉଁଠି ତାଙ୍କର ମତ ରଖିଛନ୍ତି ଏଥିରେ ସମସ୍ୟା କ’ଣ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ବିଚାରପତିମାନଙ୍କ ରାୟ ମଧ୍ୟ ଶୁଣାଣି ସମୟରେ ବଦଳି ଥାଏ। କମିଟିକୁ କୃଷି ଆଇନ ସଂପର୍କରେ ନିଷ୍ପତ୍ତି ନେବାପାଇଁ କୌଣସି ଅଧିକାର ଦିଆଯାଇ ନାହିଁ। ଏହି କମିଟି କେବଳ ସମସ୍ତ ପକ୍ଷର ମତାମତ ନେଇ ସମାଧାନ ଦିଗରେ ପ୍ରସ୍ତାବ ଦେବା ଗଠନ ହୋଇଛି ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ. କୃଷି ଆଇନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ସୁପ୍ରିମ୍‌ କୋର୍ଟ ୪ ଜଣିଆ କମିଟି ଗଠନ କରିଥିଲେ। କମିଟିର ଜଣେ ସଦସ୍ୟ ଭୂପିନ୍ଦର ସିଂହ ପଂଜାବର ଚାଷୀମାନଙ୍କୁ ସମର୍ଥନ କରି ଏହି କମିଟିରୁ ଓହରି ଯାଇଛନ୍ତି। ଅନ୍ୟ ସଦସ୍ୟମାନେ ନିକଟରେ ପ୍ରଥମ ବୈଠକ କରିଛନ୍ତି ଏବଂ ଆସନ୍ତାକାଲି (ଗୁରୁବାର) ଚାଷୀ ସଂଗଠନର ପ୍ରତିନିଧିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର