ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦକୁ ନେଇ ଆସନ୍ତାକାଲି ସୁପ୍ରିମ କୋର୍ଟରେ ଶୁଣାଣି ହେବାକୁ ଯାଉଛି। ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମ କୋର୍ଟ କଲେଜିଅମ୍ ଏବଂ ହାଇକୋର୍ଟ କଲେଜିଅମ୍ ଅନେକ ନାମର ସୁପାରିସ କରିଥିବା ବେଳେ ଦୀର୍ଘ ଦିନ ହେବ କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଉନଥିବାରୁ ସୁପ୍ରିମ କୋର୍ଟ ଉଦବେଗ ପ୍ରକାଶ କରିବା ସହିତ ଜବାବ ତଲବ କରିଥିଲେ।

Advertisment

ଅନ୍ୟପକ୍ଷରେ ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଚାରପତି ପଦବି ଖାଲି ନେଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ଓ ବିଭିନ୍ନ ହାଇକୋର୍ଟ କଲେଜିଅମକୁ ଦାୟୀ କରିବାକୁ ଉଦ୍ୟମ କରୁଛନ୍ତି। କହୁଛନ୍ତି ଯେ ନିୟମ ଅନୁଯାୟୀ ବିଚାରପତି ଖାଲି ପଡ଼ିବାର ୬ ମାସ ପୂର୍ବରୁ କଲେଜିଅମ୍ ନିଯୁକ୍ତି/ସୁପାରିସ ପ୍ରକ୍ରିୟା ଆରମ୍ଭ କରିବା କଥା। କିନ୍ତୁ ତାହା କରାଯାଉ ନାହିଁ। ଗତ ମାର୍ଚ୍ଚ ୨୬ ସୁଦ୍ଧା ଦେଶର ବିଭିନ୍ନ ହାଇକୋର୍ଟମାନଙ୍କରେ ୪୧୦ଟି ବିଚାରପତି ପଦବି ଖାଲି ପଡ଼ିଥିବା ବେଳେ ବିଭିନ୍ନ ହାଇକୋର୍ଟ କଲେଜିଅମ୍‌ ୨୧୪ଟି ପଦବି ପାଇଁ ମଧ୍ୟ ସୁପାରିସ କରିନଥିଲେ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଖାଲିପଡ଼ୁଥିବା ପଦ ମଧ୍ୟରୁ ଅତିକମରେ ୫୦ ଭାଗ ପାଇଁ ନାମ ସୁପାରିସ କରିବା କଥା। କିନ୍ତୁ ଏହା କରାଯାଉ ନାହିଁ। ବିଭିନ୍ନ ହାଇକୋର୍ଟ କଲେଜିଅମ୍ ବିଚାରପତି ପଦ ଲାଗି ଦୀର୍ଘ ଦିନ ହେଲା ଆଡଭୋକେଟଙ୍କ ନାମ ମଧ୍ୟ ସୁପାରିସ କରୁ ନାହାନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ ୨୭ ତାରିଖରେ ଶୁଣାଣି ବେଳେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଉପରେ ଏହି ପ୍ରସଙ୍ଗରେ ବର୍ଷିଥି‌ଲେ। କହିଥିଲେ ଯେ ବିଭିନ୍ନ ହାଇକୋର୍ଟ କଲେଜିଅମ୍ ୪୫ ଜଣଙ୍କ ନାମ ବିଚାରପତି ପଦ ଲାଗି ସୁପାରିସ କରିଥିଲେ ମଧ୍ୟ ୬ରୁ ୧୪ ମାସ ଧରି ସରକାର ଏହା ଉପରେ ନିଷ୍ପତ୍ତି ନେଉ ନାହାନ୍ତି। ସେହିଭଳି ୧୦ ଜଣଙ୍କ ନାମ ହାଇକୋର୍ଟ ବିଚାରପତି ପଦ ଲାଗି ସୁପ୍ରିମ କୋର୍ଟ କଲେଜିଅମ୍ ସୁପାରିସ କରିଥିଲେ ମଧ୍ୟ ୭ରୁ ୧୯ମାସ ଧରି ସରକାରଙ୍କ ପାଖରେ ଫାଇଲ ପଡ଼ି ରହିଛି। କେବଳ ଏତିକି ନୁହେଁ, କଲିକତା ହାଇକୋର୍ଟରେ ବିଚାରପତି ଲାଗି ୫ ଜଣ ଆଡଭୋକେଟଙ୍କ ନାମ ଜୁଲାଇ ୨୦୧୯ରେ ସୁପାରିସ କରାଯାଇଥିଲା। କିନ୍ତୁ ସରକାର ଏହି ଫାଲଇ ଉପରେ ମଧ୍ୟ ବସିପଡ଼ିଛନ୍ତି। ଏସଂପର୍କରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ ଠାରୁ ଜବାବ ମାଗିଥିଲେ।

ଏସଂପର୍କରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୯ ନଭେମ୍ବରରେ ତତ୍କାଳୀନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଅବସର ନେଇଥିଲେ ମଧ୍ୟ ତାଙ୍କ ପରେ ବିଚାରପତି ପଦ ଏବେ ବି ଖାଲି ପଡ଼ିଛି। ସୁପ୍ରିମ ‌କୋର୍ଟ କଲେଜି୍ରମ୍ ଏପର୍ଯ୍ୟନ୍ତ କାହାରି ନାମ ସୁପାରିସ କରି ନାହାନ୍ତି। ଏହାପରେ ଆଉ ୪ ଜଣ ବିଚାରପତି ଅବସର ନେଲେଣି। ସେହି ପଦ ପୂରଣ ପାଇଁ ମଧ୍ୟ କ‌ୌଣସି ସୁପାରିସ ଆସୁନାହିଁ। ମହିଳା ବିଚାରପତିଙ୍କ ନାମ ମଧ୍ୟ ସୁପାରିସ ହେଉନାହିଁ। ଏବେ ଜଷ୍ଟିସ ଇନ୍ଦ୍ରାଣୀ ବାନାର୍ଜୀ ସୁପ୍ରିମ କୋର୍ଟରେ ଏକମାତ୍ର ମହିଳା ବିଚାରପତି ଅଛନ୍ତି। ଆସନ୍ତାକାଲି କେନ୍ଦ୍ର ସରକାର ସୁପ୍ରମି କୋର୍ଟରେ ଏସଂପର୍କରେ ଦୃଷ୍ଟି ଆକର୍ଷଣ କରିପାରନ୍ତି ବୋଲି ଜଣାପଡ଼ିଛି।