ସୁପ୍ରିମକୋର୍ଟଙ୍କ ୭ ସୂତ୍ରୀ ନିର୍ଦ୍ଦେଶ ଜାରି

ଜାମିନ ସତ୍ତ୍ବେ ଖଲାସ ହେଉନାହାନ୍ତି ବିଚାରାଧୀନ କଏଦୀ, ରାଷ୍ଟ୍ରପତିଙ୍କ ଉଦ୍‌ବେଗକୁ ସଂଜ୍ଞାନକୁ ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାମିନ ସତ୍ତ୍ବେ ଯେଉଁସବୁ କଏଦୀ କୌଣସି କାରଣରୁ ଜେଲରୁ ମୁକ୍ତ ହୋଇପାରୁ ନାହାନ୍ତି ସେମାନଙ୍କୁ ଖଲାସ କରିବା ପାଇଁ ସୁପ୍ରିମକୋର୍ଟ ୭ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି, କୋର୍ଟ ଯେତେବେଳେ ଜଣେ ବିଚାରାଧୀନ କଏଦୀ କିମ୍ବା ଦୋଷୀଙ୍କୁ ଜାମିନ ପ୍ରଦାନ କରିବେ, ସେହି ଦିନ ନଚେତ ତା’ ପରଦିନ ଜେଲ ଅଧୀକ୍ଷକଙ୍କ ଜରିଆରେ କଏଦୀଙ୍କ ଇ-ମେଲକୁ ଜାମିନ ଆଦେଶର ‘ସଫ୍ଟ କପି’ ପଠାଯିବ। ଏଥିରେ ‌ଜେଲ ଅଧୀକ୍ଷକ ଜାମିନ ପ୍ରଦାନ ତାରିଖ ଉଲ୍ଲେଖ କରିବେ। ଆରୋପୀକୁ ଜାମିନ ପ୍ରଦାନର ୭ ଦିନ ମଧ୍ୟରେ ଖଲାସ କରାନଗଲେ ଜେଲ୍‌ ଅଧୀକ୍ଷକ ଡିଏଲ୍‌ଏସ୍‌ଏ ସଚିବଙ୍କୁ ସୂଚନା ଦେବେ। କଏଦୀଙ୍କ ସହ କଥା ହେବା ପାଇଁ ସେ ପାରା ଲିଗାଲ୍‌ ସ୍ବେଚ୍ଛାସେବୀ କିମ୍ବା ଜେଲ ଭିଜିଟିଂ ଆଡଭୋକେଟଙ୍କୁ ନିଯୁକ୍ତ କରିପାରିବେ। କଏଦୀଙ୍କ ମୁକ୍ତି ପାଇଁ ସେ ଯଥା ସମ୍ଭବ ଚେଷ୍ଟା କରିବେ। ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କହିଛନ୍ତି ଯେ ଆବଶ୍ୟକତାକୁ ‌ଦୃଷ୍ଟିରେ ରଖି ଏନ୍‌ଆଇସି ଦ୍ବାରା ଇ-ସଫ୍‌ଟୱେର୍‌ର ବିକାଶ କରାଯିବ। ଯାହାଫଳରେ ଜେଲ ବିଭାଗ ଦ୍ବାରା ଜାମିନ ତାରିଖ ଏବଂ ଖଲାସ ତାରିଖକୁ ପଞ୍ଜିକୃତ କରାଯାଇପାରିବ। ଯଦି କଏଦୀ ୭ ଦିନ ଭିତରେ ଖଲାସ ନ ହୁଅନ୍ତି, ତାହାହେଲେ ଡିଏଲ୍‌ଏସ୍‌ ସଚିବଙ୍କୁ ସ୍ବୟଂକ୍ରିୟ ଇ-ମେଲ ଯିବ। ଏହାଦ୍ବାରା ଡିଏଲ୍‌ଏସ୍‌ଏ ସଚିବ ଅଭିଯୁକ୍ତର ଆର୍ଥିକ ସ୍ଥିତି‌ ସମ୍ପର୍କରେ ସୂଚନା ହାସଲ କରିବାପାଇଁ ପାରାଲିଗାଲ୍‌ ସ୍ବେଚ୍ଚାସେବୀଙ୍କ ସହାୟତା ନେଇପାରିବେ। ଏହାକୁ ଉପଯୋଗ କରି କଏଦୀର ସାମାଜିକ-ଆର୍ଥିକସ୍ଥିତି ଉପରେ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରାଯାଇପାରିବ ଓ ଯାହାକୁ କି ସମ୍ବନ୍ଧିତ କୋର୍ଟରେ ଜାମିନ ସର୍ତ୍ତକୁ କୋହଳ କରାଯିବା ପାଇଁ ଅନୁରୋଧ କରାଯାଇପାରିବ।

ଜାମିନରେ ଖଲାସ ହେବା ପରେ ଜାମିନ ବଣ୍ଡ ଦେଇପାରିବେ ବୋଲି ଯେଉଁ ବିଚାରାଧୀନ କଏଦୀ କିମ୍ବା ଦୋଷୀ ଅନୁରୋଧ କରିବେ, ସେହି କ୍ଷେତ୍ରରେ ଅଦାଲତ ଏହାକୁ ବିଚାରକୁ ନେଇ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଅସ୍ଥାୟୀ ଜାମିନ ଦେବା ପାଇଁ ବିଚାର କରିପାରିବେ। ଯଦି ଜାମିନ ଦେବା ତାରିଖରୁ ମାସେ ଭିତରେ ଜାମିନ ବଣ୍ଡ ପ୍ରସ୍ତୁ୍ତ କରାଯାଇପାରିବ ନାହିଁ ତାହାହେଲେ ସମ୍ବନ୍ଧିତ ନ୍ୟାୟାଳୟ ଏହି ମାମଲାକୁ ସ୍ବତଃ ବିଚାରକୁ ନେଇପାରିବେ। ଜାମିନ ସର୍ତ୍ତରେ ସଂଶୋଧନ କିମ୍ବା କୋହଳ କରିବାର ଆବଶ୍ୟକତା ଅଛି କି ନାହିଁ ତାହାର ବିଚାର କରାଯିବ। ଗତ ବର୍ଷ ନଭେମ୍ବର ୨୬ ତଥା ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ଜାମିନ ପାଇବା ସତ୍ତ୍ବେ ଜେଲରେ ବହୁ ସଂଖ୍ୟାରେ କଏଦୀ ରହୁଛନ୍ତି। ସେ ଓଡ଼ିଶା ଓ ଝାଡ଼ଖଣ୍ଡର ଗରିବ ଆଦିବାସୀମାନଙ୍କ ଉଦାହରଣ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ଏହି ସବୁ ଗରିବ ଆଦିବାସୀଙ୍କୁ ଜାମିନ ମିଳିବା ସତ୍ତ୍ବେ ସେମାନେ ଅର୍ଥ ଅଭାବରୁ ଓ ଜାମିନଦାର ଯୋଗାଡ଼ କରିପାରୁନଥିବାରୁ ଜେଲରୁ ବାହାରିପାରୁନାହାନ୍ତି।

ସୁପ୍ରିମ‌କୋର୍ଟ ବିଚାରପତି ଜଷ୍ଟିସ ସଂଜୟ କିଷନ କୌଲ ଓ ବିଚାରପତି ଜଷ୍ଟିସ୍‌ ଅଭୟ ଏସ୍‌ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ସଂଜ୍ଞାନକୁ ନେଇଥିଲେ। ‌ଜାମିନ ପାଇ ମଧ୍ୟ ଜେଲରେ ରହୁଥିବା କଏଦୀମାନଙ୍କର ସଂଖ୍ୟା ଜାଣିବା ପାଇଁ ନ୍ୟାସନାଲ ଲିଗାଲ ସର୍ଭିସେସ ଅଥରିଟି (ଏନ୍‌ଏଲ୍‌ଏସ୍‌ଏ) ରାଜ୍ୟ ଲିଗାଲ ସର୍ଭିସେସ ଅଥରିଟି (ଏସ୍‌ଏଲ୍‌ଏସ୍‌ଏ)କୁ ପତ୍ର ଲେଖି ୧୫ ଦିନ ଭିତରେ ତଥ୍ୟ ପ୍ରଦାନ ପାଇଁ କହିଥିଲେ। ଏହି ମାମଲାରେ ଖଣ୍ଡପୀଠ ଆଇନଜୀବୀ ଗୌରବ ଅଗ୍ରୱାଲ, ଲିଜ ମାଚ୍ୟୁ ଓ ଦେବାଂଶୁ ମେହେଟ୍ଟାଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ କରିଥିଲେ। ‌ମଙ୍ଗଳବାର ଏନ୍‌ଏଲ୍‌ଏସ୍‌ଏ ଦେଇଥିବା ତଥ୍ୟ ଅନୁସାରେ ଦେଶରେ ଜାମିନ ସତ୍ତ୍ବେ ୫ ହଜାର କଏଦୀ ଜେଲରେ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୪୧୭ ଜଣଙ୍କୁ ଖଲାସ କରାଯାଇଛି। ସେହି ଭଳି ଓଡ଼ିଶାରେ ଜାମିନ ପାଇ ମଧ୍ୟ ୨୩୮ କଏଦୀ ଜେଲ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ ୧୩୮ ଜଣଙ୍କୁ ଆଇନଗତ ସହାୟତା ପ୍ରଦାନ କରାଯାଇଛି ଓ ୮୧ ଜଣ ଖଲାସ ହୋଇଛନ୍ତି। ଆଜି ଖଣ୍ଡପୀଠ ତିନି ଜଣ ଆମିକସ କ୍ୟୁରିଙ୍କ ବିସ୍ତୃତ ପରାମର୍ଶ ନେବା ପରେ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚରେ ହେବ।

ସମ୍ବନ୍ଧିତ ଖବର