ପୋଲାଭରମ୍‌ ମାମଲାରେ ନୂଆ ମୋଡ଼ : ଶୁଣାଣି ପାଇଁ ୧୩ ପ୍ରସଙ୍ଗ, ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍‌ ଇନ୍ଦିରା ସାଗର ଜଳସେଚନ ମାମଲା ଧୀରେ ଧୀରେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ପକ୍ଷଭୁକ୍ତ ରାଜ୍ୟ ଓ ସଂସ୍ଥାମାନେ ଯେତେସବୁ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ, ସେସବୁକୁ ଏକାଠି କରି ସେଥିରୁ ୧୩ଟି ପ୍ରସଙ୍ଗ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି। ତେବେ ନିର୍ଦିଷ୍ଟ କେଉଁ ୧୩ଟି ପ୍ରସଙ୍ଗକୁ କୋର୍ଟ ଗ୍ରହଣ କଲେ, ସେଥିରେ ଓଡ଼ିଶାର ସ୍ୱାର୍ଥ ସଂପର୍କିତ କେତୋଟି କଥାକୁ ଗୁରୁତ୍ୱ ମିଳିଛି, ତାହା ଜଣାପଡିନାହିଁ।

ତେବେ ପୋଲାଭରମ୍‌ ପ୍ରକଳ୍ପ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ସେଥିରେ ଓଡ଼ିଶା ପାଇଁ ସାମାନ୍ୟ ଆଶା ସଞ୍ଚାର ହୋଇଛି। ପୋଲାଭରମ୍‌ ପ୍ରକଳ୍ପର ପରିବେଶ ମଞ୍ଜୁରି ବେଆଇନ ବୋଲି ଓଡ଼ିଶା ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଶେଷରେ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟ ବନ୍ଦ ଆଦେଶକୁ ବର୍ଷେ ପାଇଁ ସ୍ଥଗିତ ରଖାଯିବା ସଂକ୍ରାନ୍ତରେ ହୋଇଥିବା ଓଡ଼ିଶାର ଆବେଦନ ସଂପର୍କରେ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ଆଜି ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ କହିଥିଲେ, ୨୦୧୧ ଫେବ୍ରୁଆରି ମାସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଆଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୫ ଜୁଲାଇରୁ ୨୦୧୬ ଜୁଲାଇ ୩ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖାଯାଇଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏ ସଂପର୍କରେ ଅବଗତ କରାଯିବା ପରେ ମଧ୍ୟ ଗତ ଜୁଲାଇ ୧୦ ତାରିଖରେ କାର୍ଯ୍ୟବନ୍ଦ ଆଦେଶକୁ ବର୍ଷେ ପାଇଁ ସ୍ଥଗିତ ରଖାଯାଇଛି। ଏହା ବେଆଇନ। କୋର୍ଟ ଏହାକୁ ଆଜି ଗୁରୁତ୍ୱର ସହ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆଦେଶ ସ୍ଥଗିତ ରଖାଯିବାକୁ ନେଇ ସମସ୍ତ ତଥ୍ୟ ଓ ବିବରଣୀ କୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି କୁହାଯାଇଥିଲା। ଶୁୁଣାଣି ସମୟରେ କୋର୍ଟ ସ୍ପଷ୍ଟ ଭାବେ କହିଥିଲେ, କେନ୍ଦ୍ର ଓ ଆନ୍ଧ୍ର ସରକାର ନିର୍ଧାରିତ ସମୟ ଅବଧି ମଧ୍ୟରେ ଜବାବ ଦାଖଲ କରିବାକୁ ପଡିବ। ଅନ୍ୟଥା ବିଳମ୍ବ କଲେ ଜରିମାନା ଧାର୍ଯ୍ୟ କରାଯିବ।

ଉଲ୍ଲେଖଯୋଗ୍ୟ, ପୋଲାଭରମ୍‌ ପ୍ରକଳ୍ପର ପକ୍ଷଭୁକ୍ତ ଥିବା ୬ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ତଥା କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ଦ୍ୱାରା ଦାଖଲ କରାଯାଇଥିବା ମୁଖ୍ୟ ପ୍ରସଙ୍ଗ ଗୁଡିକର ତାଲିକାକୁ କୋର୍ଟ ରେକର୍ଡକୁ ନେଇଥିଲେ। ଏଥିମଧ୍ୟରୁ ୨୫ଟି ପ୍ରସଙ୍ଗ ବଛାଯାଇଥିଲେ ହେଁ, ସେ ମଧ୍ୟରୁ ୧୩ଟି ପ୍ରସଙ୍ଗ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହି ପ୍ରସଙ୍ଗ ସଂପର୍କିତ ସମସ୍ତ ନଥିପତ୍ର ଦୁଇ ସପ୍ତାହ ଭିତରେ ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ମାମଲାର ଶୁଣାଣି ଚାରି ସପ୍ତାହ ମଧ୍ୟରେ ହେବ।

ସମ୍ବନ୍ଧିତ ଖବର