ବାରାଣସୀ: ଜ୍ଞାନବାପି ମସଜିଦ ପରିସରରେ ଥିବା ଶିବଲିଙ୍ଗର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ବାରା ସର୍ଭେ କରାଯିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ମୁସଲିମ ପକ୍ଷକୁ ନୋଟିସ ଜାରି କରିଛନ୍ତି। ହିନ୍ଦୁ ପକ୍ଷ ତରଫରୁ କୋର୍ଟରେ ଏହି ପିଟିସନ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ମୁସଲମାନ ପକ୍ଷକୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।

Advertisment

ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜ୍ଞାନବାପି ମାମଲାରେ ବାରାଣସୀର ନିମ୍ନ ଅଦାଲତରେ ଚାଲିଥିବା ସମସ୍ତ ୧୫ଟି ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ହିନ୍ଦୁ ପକ୍ଷର ଦାବି ଉପରେ ଶୁଣାଣି କରିଥିଲେ। ହିନ୍ଦୁ ପକ୍ଷର ଓକିଲ କହିଛନ୍ତି ଯେ କିଛି ଆବେଦନ ଜିଲ୍ଲା ଜଜ୍‌ଙ୍କ ନିକଟରେ ଏବଂ କିଛି ସିଭିଲ୍ ଜଜ୍‌ଙ୍କ ନିକଟରେ ରହିଛି। ଏଭଳି ସ୍ଥିତିରେ ଗୋଟିଏ ମାମଲାରେ ବିଭିନ୍ନ ଅଦାଲତରୁ ଭିନ୍ନ ଭିନ୍ନ ଆଦେଶ ଆସୁଛି। ତେଣୁ ଆମର ଦାବି ହେଉଛି ଜ୍ଞାନବାପି ସହ ଜଡିତ ସମସ୍ତ ପିଟିସନକୁ ଏକାଠି କରି ଆହ୍ଲାବାଦ ହାଇକୋର୍ଟର ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଉ।