ଗୋପନୀୟତା ନୀତି ବିଷୟରେ ସ୍ପଷ୍ଟ କରିବାକୁ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌କୁ ନୋଟିସ୍ ‌ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ସୋମବାର ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌କୁ ନୋଟିସ୍ ‌ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ରେ ଏହି ଦୁଇ ଲୋକପ୍ରିୟ ସୋସିଆଲ୍ ନେଟ୍‌ୱର୍କିଂ ସାଇଟକୁ  ସେମାନଙ୍କର ବର୍ତ୍ତମାନ ପ୍ରଚଳିତ ପ୍ରାଇଭେସି ପଲିସି ବା ଗୋପନୀୟତା ନୀତି ବିଷୟରେ ସ୍ପଷ୍ଟ କରିବାକୁ କୁହାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ଗୋପନୀୟ ରଖାଯାଉନଥିବା ଅଭିଯୋଗ କରି ଏକ ମାମଲା ରୁଜ୍ଜୁ ହେବା ପରେ ସର୍ବୋଚ୍ଚ ଅଦାଲତ ଏହି ନୋଟିସ୍ ଜାରି କରିଛନ୍ତି।

ବ୍ୟବହାରକାରୀମାନଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍ୟ କମ୍ପାନି ସହ ବଣ୍ଟାଯାଉଛି ବୋଲି ଏକ ମାମଲା ମାଧ୍ୟମରେ ଅଭିଯୋଗ ଆସିବା ପରେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି  ପ୍ରଧାନ ବିଚାରପତି ଏସ୍ ବୋବ୍‌ଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଦୁଇ ସୋସିଆଲ ମିଡିଆ ସଂସ୍ଥାକୁ ଏହି ନୋଟିସ୍ ଜାରି କରିଛନ୍ତି।

ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀଙ୍କୁ  ପ୍ରଧାନ ବିଚାରପତି ବୋବ୍‌ଡେ ଆହୁରି ବି  କହିଛନ୍ତି କି ‘ଆପଣ ତିନି ଟ୍ରିଲିୟନ୍‌ର କମ୍ପାନି ହୁଅନ୍ତୁ ପଛେ, କିନ୍ତୁ ଲୋକମାନଙ୍କ ପାଇଁ ସେମାନଙ୍କ ଗୋପନୀୟତା ଟଙ୍କାଠାରୁ ଯଥେଷ୍ଟ ମୂଲ୍ୟବାନ। ସେମାନଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ। ଆମେ ଯାହା ଶୁଣିଲୁ, ଯାହା ପଢ଼ିଲୁ ତାହା କହୁଛୁ। ଲୋକମାନେ ଭାବୁଛନ୍ତି ‌ଯଦି ‘ଏ’ ଗୋଟେ ମେସେଜ୍‌ ‘ବି’କୁ ପଠାଉଛି ଓ ‘ବି’ ସେହି ମେସେଜ୍‌କୁ ‘ସି’କୁ ପଠାଉଛି ତେବେ ଫେସ୍‌ବୁକ୍‌ରେ ଏକ ମେସେଜ୍‌ ସର୍କିଟ୍‌ ପ୍ରକାଶ ପାଇଯାଉଛି।’

ଅନ୍ୟପକ୍ଷରେ ଶୁଣାଣି ସମୟରେ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ ପକ୍ଷରୁ ସେଠାରେ ଉପସ୍ଥିତ ଥିବା ଓକିଲ ଅରବିନ୍ଦ ଦତ୍ତର ଓ କପିଲ୍‌ ସିବଲ୍‌ ଏହି ଅଭିଯୋଗକୁ ଅସ୍ବୀକାର କରି ଏହା ଏକ ମିଥ୍ୟା ଅଭିଯୋଗ ବୋଲି ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର