ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କଲେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ

ନୂଆଦିଲ୍ଲୀ : ଦେଶରେ ଲକଡାଉନ ହେବା ପରେ ସବୁଠାରୁ ଅଧିକ ହିନସ୍ଥା ହେଉଛନ୍ତି ପ୍ରବାସୀ ଶ୍ରମିକ ବର୍ଗ । ଟ୍ରେନ, ବସ ଚଳାଚଳ ବନ୍ଦ ଥିବାରୁ ଲକ୍ଷ ଲକ୍ଷ ଶ୍ରମିକ ଶହ କିଲୋମିଟର ପାଦରେ ଚାଲି ଚାଲି ବା ସାଇକେଲରେ ନିଜ ରାଜ୍ୟକୁ ଫେରୁଛନ୍ତି । ବାଟରେ ଆସିବା ବେଳେ ଭୋକ ଓପାସରେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଏ କ୍ଷେତ୍ରରେ ହସ୍ତକ୍ଷେପ କରିଛନ୍ତି । ଶୀର୍ଷ ଅଦାଲତ ନିଜଆଡ଼ୁ ମାମଲା ରୁଜୁ କରି କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟର ସରକାରଙ୍କୁ ନୋଟିସ୍ କରିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ସଂପର୍କରେ ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ନୋଟିସ ଜାରି କରିଛନ୍ତି । ସୋଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷ ରଖିବାକୁ ତାଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରଦିନ ହେବ ।

ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ସଂଜୟ କିଶୋର କୋଲ ଓ ଜଷ୍ଟିସ ଏମଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଆଜି ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ଗଣମାଧ୍ୟମ ରିପୋର୍ଟରୁ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଜଣାପଡ଼ୁଛି । ସରକାର ସେମାନଙ୍କ ସହାୟତା ପାଇଁ କେତେକ ପଦକ୍ଷେପ ନେଇଥିଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା ସରୁନାହିଁ । ଏହି ପରିସ୍ଥିତିର ମୁକାବିଲା କରିବା ଲାଗି ଏକ ସମନ୍ୱିତ ଉଦ୍ୟମ ଲୋଡ଼ା ବୋଲି କୋର୍ଟ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର