ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଅରୁଣ କୁମାର ମିଶ୍ର ଆଜି ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ଜଷ୍ଟିସ୍ ମିଶ୍ର ୨୦୧୪ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପରମ୍ପରା ଅନୁଯାୟୀ ଆଜି କାର୍ଯ୍ୟକାଳର ଶେଷ ଦିବସରେ ସେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ସହ ଏକ ଖଣ୍ଡପୀଠରେ ରହିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେ କହିଥିଲେ ଯେ, ଜଷ୍ଟିସ୍ ମିଶ୍ର ସବୁ ପ୍ରତିକୂଳ ପରିସ୍ଥିତିରେ ବି ସାହସ , ନିଷ୍ଠା ଏବଂ ଏକାଗ୍ରତାର ସହ ତାଙ୍କ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସବୁ ସହକର୍ମୀଙ୍କ ସହିତ ଜଷ୍ଟିସ୍ ମିଶ୍ରଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଥିଲା ଏବଂ ବ୍ୟକ୍ତିଗତ ସ୍ତରରେ ମଧ୍ୟ କୌଣସି ସମାଲୋଚନାକୁ ଖାତିର ନକରି ସେ ତାଙ୍କ କର୍ତ୍ତବ୍ୟ ସମ୍ପୂର୍ଣ୍ଣ ନିଷ୍ଠାର ସହ ସମ୍ପାଦନ କରିଛନ୍ତି। ଏହି ଅବସରରେ ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ ଜଷ୍ଟିସ୍ ମିଶ୍ରଙ୍କୁ ଲୌହ ବିଚାରପତି ଭାବେ ବର୍ଣ୍ଣନା କରିଥିଲେ। ସୁପ୍ରିମକୋର୍ଟରେ ଏଭଳି ଜଣେ ଦୃଢ଼ପ୍ରତିଜ୍ଞ ଏବଂ ଅବିଚଳିତ ବିଚାରପତିଙ୍କୁ ମୁଁ କେବେ ଦେଖିନଥିଲି ବୋଲି ସେ କହିଥିଲେ। ଜଷ୍ଟିସ୍ ମିଶ୍ର କହିଥିଲେ, ସେ ଯାହା ବି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ସର୍ବୋଚ୍ଚ କ୍ଷମତା ବଳରେ ହିଁ କରିଛନ୍ତି। ବେଳେବେଳେ ମୋର କେତେକ ଆଚରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କଠୋର ହୋଇଥାଏ। କିନ୍ତୁ ଏହାକୁ ନେଇ କେହି ଆଘାତ ଅନୁଭବ କରିବା ଉଚିତ ନୁହେଁ।
ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର
/sambad/media/post_attachments/wp-content/uploads/2020/09/Arun_Mishra.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)