ଯୌନ ଉତ୍ପୀଡ଼ନ ମାମଲା ଲିଙ୍ଗ ନିରପେକ୍ଷ ନୁହେଁ: ସୁପ୍ରିମ୍‌କୋର୍ଟ

ମହିଳାଙ୍କୁ କ୍ଷତିଗ୍ରସ୍ତ ଭାବେ ସଂସଦ ଦର୍ଶାଇଛି, ସାଂସଦମାନେ ହିଁ ଆଇନରେ ପରିବର୍ତ୍ତନ ଆଣିପାରିବେ

ନୂଆଦିଲ୍ଲୀ: କୌଣସି ଯୌନ ନିର୍ଯାତନା ମାମଲାକୁ ଲିଙ୍ଗ ନିରପେକ୍ଷ ଭାବେ ବିବେଚନା କରିବାକୁ ହୋଇଥିବା ଏକ ଆବେଦନକୁ ଆଜି ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହିତ ମହିଳାମାନେ ହିଁ ଏ ପ୍ରକାର ଘଟଣାରେ କ୍ଷତିଗ୍ରସ୍ତ ବା ପୀଡ଼ିତା ବୋଲି ପୂର୍ବରୁ ସଂସଦ ଦ୍ୱାରା ଦର୍ଶାଯାଇଛି ବୋଲି ମାନ୍ୟବର ଅଦାଲତ ଟିପ୍ପଣୀ କରିଛନ୍ତି। ତେବେ ଆବଶ୍ୟକତା ପଡ଼ିଲେ ସେହି ସଂସଦ ହିଁ ଆଇନରେ ପରିବର୍ତ୍ତନ ଆଣି ଲିଙ୍ଗଗତ ନିର୍ବିଶେଷରେ ଏପରି ଉତ୍ପୀଡ଼ନରେ ଜଡ଼ିତ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଦୋଷୀ କରିପାରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଆବେଦନକାରୀ ଆଇନଜୀବୀ ଋଷି ମାଲହୋତ୍ରା କରିଥିବା ଆବେଦନ ଅନୁଯାୟୀ, ଅପରାଧ କେବେ କୌଣସି ନିର୍ଦ୍ଦିଷ୍ଟ ଲିଙ୍ଗଗତ ନୁହେଁ। ପୁରୁଷମାନଙ୍କ ପରି ମହିଳାମାନେ ମଧ୍ୟ ଅନୁରୂପ ଅପରାଧ ରଚାଇଥାନ୍ତି। ମାତ୍ର ଆମ ଆଇନ ବ୍ୟବସ୍ଥାରେ ଏଭଳି ପ୍ରସଙ୍ଗରେ ମହିଳାଙ୍କୁ କ୍ଷତିଗ୍ରସ୍ତ ବୋଲି ଦର୍ଶାଯିବା ସହ ପୁରୁଷଙ୍କୁ ହିଁ ଦୋଷୀର ମାନ୍ୟତା ମିଳୁଛି ।

ସୁତରାଂ ଆଇନରେ କୌଣସି ଲିଙ୍ଗଗତ ବାଛବିଚାର ନରଖି ଯୌନ ନିର୍ଯାତନା ମାମଲାରେ ପୁରୁଷ ବା ମହିଳା ଯିଏ ବି ଦୋଷୀ ସାବ୍ୟସ୍ତ ହେବ, ତା’କୁ ଦଣ୍ଡିତ କରିବାକୁ ଶ୍ରୀ ମାଲହୋତ୍ରା ନିବେଦନ କରିଥିଲେ। ତେବେ ଭାରତୀୟ ପିଙ୍ଗଳ ଧାରାରେ ମହିଳାମାନଙ୍କୁ ସୁରକ୍ଷା ଦେବା ଲାଗି ଏପରି ବ୍ୟବସ୍ଥା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ଅପରପକ୍ଷେ, ମହିଳାଙ୍କ ଦ୍ୱାରା ଜଣେ ପୁରୁଷ ମଧ୍ୟ ଏଭଳି ଯୌନ ନିର୍ଯାତନାର ଶିକାର ହୋଇପାରନ୍ତି ବୋଲି ମାଲହୋତ୍ରାଙ୍କ ଯୁକ୍ତିରେ ଏହା ଏକ କାଳ୍ପନିକ ସ୍ଥିତି ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ତେବେ ସମାଜରେ ଘଟୁଥିବା ଏପରି ବିରଳ ଘଟଣାକୁ ଆଧାର କରି ସାଂସଦମାନେ ହିଁ ଆଇନରେ ପରିବର୍ତ୍ତନ ଆଣିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର