ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବ୍‌ରିମାଲା ମନ୍ଦିରରେ ମିହଳାଙ୍କ ପ୍ରବେଶ ନେଇ ରହିଥିବା କଟକଣାକୁ ସୁପ୍ରିମ୍‌ କୋର୍ଟଙ୍କ ସମ୍ବିଧାନ ପୀଠ ବିରୋଧ କରିଛନ୍ତି। ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣା ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ପୁରୁଷଙ୍କ ପରି ଏହି ମନ୍ଦିରରେ ମହିଳାଙ୍କର ମଧ୍ୟ ପ୍ରବେଶ କରିବା ଏବଂ ପୂଜା କରିବାର ସମାନ ଅଧିକାର ରହିଛି। ଏହି ମନ୍ଦିର କାହାର ଘରୋଇ ସମ୍ପତ୍ତି ନୁହେଁ, ଏହା ସାର୍ବଜନୀନ ସମ୍ପତ୍ତି ହୋଇଥିବାରୁ ଏଥିରେ ମହିଳାଙ୍କ ପ୍ରବେଶ ଉପରେ କୌଣସି କଟକଣା ରହିପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟଙ୍କ ସମ୍ବିଧାନ ପୀଠ ଏକ ଐତିହାସିକ ରାୟରେ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଆର ଏଫ୍‌ ନରିମାନ୍‌, ଏଏମ୍‌ ଖାନଓ୍ଵିଲକର, ଡିଓ୍ଵାଇ ଚନ୍ଦ୍ରଚୁଡ଼ ଏବଂ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ ଆଜି ଶୁଣାଣି ସମୟରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ମନ୍ଦିରରେ ମହିଳାଙ୍କ ପ୍ରବେଶ ଏକ ସ୍ୱାଭାବିକ କାର୍ଯ୍ୟ ଏଥିରେ କୌଣସି କଟକଣା କିମ୍ବା ଆଇନଗତ ଜଟିଳତାର କୌଣସି ଆବଶ୍ୟକ ନାହିଁ। ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶକୁ ରୋକିବା ସମ୍ବିଧାନ ବ୍ୟବସ୍ଥାର ବିରୋଧୀ। ଥରେ ମନ୍ଦିର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବାପରେ ଏଠାକୁ ସମସ୍ତେ ଯାଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ସବ୍‌ରିମାଲା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳାଙ୍କ ପ୍ରବେଶ ନିଷିଦ୍ଧ ନେଇ ଥିବା ଦୀର୍ଘ ୮୦୦ ବର୍ଷର ପରମ୍ପରାକୁ ଆବେଦନକାରୀ ‘ଭାରତୀୟ ଯୁବ ଆଇନଜୀବୀ ସଂଗଠନ’ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏହି ମାମଲାରେ ଗତ ମଙ୍ଗଳବାରଠାରୁ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଗତବର୍ଷ ଏକ ସାମ୍ବିଧାନିକ ଖଣ୍ଡପୀଠକୁ ଏହି ମାମଲାର ବୈଧତା ପରୀକ୍ଷା କରିବାପାଇଁ କହିଥିଲେ। ଇତିମଧ୍ୟରେ କେରଳ ମନ୍ତ୍ରୀ କେ ସୁରେନ୍ଦ୍ରନ୍‌ କହିଛନ୍ତି ଯେ କେରଳ ସରକାର ମନ୍ଦିର ମଧ୍ୟକୁ ମହିଳାଙ୍କ ପ୍ରବେଶ ମାମଲାର ସମର୍ଥନ କରୁଛନ୍ତି। ଏନେଇ କେରଳ ସରକାର ମଧ୍ୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ସାରିଛନ୍ତି। ସରକାର ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତତ୍କାଳ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି।