ନୂଆଦିଲ୍ଲୀ: ମାଓବାଦୀଙ୍କ ସହିତ ସଂପର୍କ ଥିବା ଅଭିଯୋଗରେ ଗିରଫ ହୋଇ ଗୃହବନ୍ଦୀ ଥିବା ୫ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଆଜି ସୁପ୍ରିମ୍ କୋର୍ଟ ବଡ଼ ଝଟ୍କା ଦେଇଛନ୍ତି। କୋର୍ଟ କହିଛନ୍ତି, ଏହି ଗିରଫଦାରୀ ରାଜନୈତିକ ଅସହମତି କାରଣରୁ ହୋଇନାହିଁ। ମାଓବାଦୀ ସଂଗଠନ ସହିତ ଏହି ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସଂପର୍କ ନେଇ ପ୍ରମାଣ ଆଧାରରେ ଗିରଫଦାରୀ ହୋଇଛି ବୋଲି ସୁପ୍ରିମ୍୍ କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୨-୧ ରାୟରେ ସ୍ପଷ୍ଟ କରିଦେଇଛନ୍ତି। ଏହା ସହିତ ମାମଲାର ଯାଞ୍ଚ ପାଇଁ ଏସ୍ଆଇଟି ଗଠନ ଦାବିକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସମସ୍ତ ୫ କାର୍ଯ୍ୟକର୍ତ୍ତାଙ୍କ ଗୃହବନ୍ଦୀ ମିଆଦକୁ ଆଉ ୪ ସପ୍ତାହ ବୃଦ୍ଧି କରାଯାଇଛି। ଏହି ମାମଲାରେ ତଦନ୍ତ ଜାରି ରଖିବା ପାଇଁ ସୁପ୍ରିମ୍୍ କୋର୍ଟ ପୁନେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଭୀମା କୋରେଗାଓଁରେ ଘଟିଥିବା ବଡ଼ ଧରଣର ହିଂସା ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ବରବରା ରାଓ, ଅରୁଣ ଫରେରା, ବର୍ନାନ ଗୋନ୍ସାଲଭିଜ୍, ସୁଧା ଭରଦ୍ବାଜ ଏବଂ ଗୌତମ ନବଲଖାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଏବଂ ପରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଗୃହବନ୍ଦୀ ରଖାଯାଇଛି। ଏବେ ସେମାନଙ୍କର ପୁନଃ ଗିରଫଦାରୀ ସମ୍ଭାବନା ବଳବତ୍ତର ହୋଇଛି। ଏହି କାର୍ଯ୍ୟକାର୍ତ୍ତାମାନେ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଏସ୍୍ଆଇଟି ଗଠନ କରିବାକୁ ଦାବି କରିବା ସହ ତତ୍କାଳ ଖଲାସ ନିମନ୍ତେ ଆବେଦନ କରିଥିଲେ। ଐତିହାସିକ ରୋମିଲା ଥାପର ଏବଂ ଅନ୍ୟ ୫ ଜଣ ଏହି ଆବେଦନ କରିଥିବା ବେଳେ ସର୍ବୋଚ୍ଚ ଅଦାଲତ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଏହି ଗିରଫଦାରୀ ରାଜନୈତିକ କାରଣରୁ ହୋଇନଥିବାରୁ ପ୍ରମାଣ ଆଧାରରେ ପରବର୍ତ୍ତୀ ତଦନ୍ତ ପୁଲିସ ଜାରି ରଖିବ। ନିଷିଦ୍ଧ ସିପିଆଇ-ମାଓବାଦୀ ସଂଗଠନ ସହିତ ଏହି କାର୍ଯ୍ୟକର୍ତ୍ତାମାନେ ସଂପର୍କରେ ରହିଥିବା ଏବଂ ସେମାନଙ୍କର କେତେକ ଦେଶ ବିରୋଧୀ ପଦକ୍ଷେପ ସଂପର୍କରେ ପୁଲିସ ବଳିଷ୍ଠ ପ୍ରମାଣ ହାସଲ କରିଥିବା ଦାବି କରିଛି। ଏହି ମାମଲାରେ ଅଭିଯୁକ୍ତମାନେ ଟ୍ରାଏଲ କୋର୍ଟରେ ଆବେଦନ କରିପାରିବେ ଏବଂ କେଉଁ ତଦନ୍ତକାରୀ ସଂସ୍ଥା ମାମଲାର ତଦନ୍ତ କରିବେ ତାହା ଚୟନ କରିବାର ଅଧିକାର ଅଭିଯୁକ୍ତଙ୍କର ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ.ଏମ୍. ଖାନ୍ୱିଲକର ପୁଲିସ କାର୍ଯ୍ୟାନୁଷ୍ଠାନକୁ ଯୁକ୍ତିଯୁକ୍ତ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ ମାମଲାରେ ଭିନ୍ନମତ ରଖି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ର ସଂପର୍କରେ ପୁଲିସ ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରିପାରି ନାହିଁ। ପୁଲିସର ତଦନ୍ତ ଗଣମାଧ୍ୟମ ରିପୋର୍ଟ ଆଧାରିତ ବୋଲି ମଧ୍ୟ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/activists_arrest_2_0.jpeg)