ସୁପ୍ରିମକୋର୍ଟଙ୍କ ରାୟ ପରେ ବିବାଦ ଶେଷ ‘ଅଯୋଧ୍ୟା ଭୂମି ପୂଜନ ପାଇଁ ସବୁ ଦଳକୁ ନିମନ୍ତ୍ରଣ କରାଯାଉ’

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ୍‌ ଖୁର୍ସିଦ୍‌ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ କାର୍ଯ୍ୟକ୍ରମକୁ ସବୁ ଜାତୀୟ ଦଳର ନେତାମାନଙ୍କୁ ନିମନ୍ତ୍ରିତ କରିବା ଉଚିତ୍‌। ସଲମାନ୍‌ ଖୁରସିଦ୍‌ କହିଛନ୍ତି, ବାବ୍ରି ମସଜିଦ୍‌- ରାମ ଜନ୍ମଭୂମି ଜମି ବିବାଦ ମାମଲା ନେଇ ଯେଉଁ ବିବାଦ ଥିଲା ତାହା ସୁପ୍ରିମକୋର୍ଟଙ୍କ ରାୟ ପରେ ଶେଷ ହୋଇସାରିଛି। ତେଣୁ ସମସ୍ତେ ଏକତ୍ରିତ ହୋଇ ଭୂମି ପୂଜନ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଆସନ୍ତା ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ପ୍ରାୟ ୨୦୦ରୁ ୨୫୦ ଅତିଥି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ମୁସଲିମ୍‌ ନେତାମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଛି। କିନ୍ତୁ ବିରୋଧୀ ଦଳର କୌଣସି ନେତା ଏପରିକି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର