ବିବାଦ‌ରେ ବିଚାରପତି ନିଯୁକ୍ତି : ସଂଜୀବ ଖାନ୍ନା ଏବଂ ଦିନେଶ ମାହେଶ୍ବରୀ ସୁପ୍ରିମ କୋର୍ଟର ନୂଆ ବିଚାରପତି

ପୂର୍ବ ନିଷ୍ପତ୍ତିକୁ ବଦଳାଇଥିଲେ କଲେଜିୟମ, ନୂଆ ସୁପାରିସ ନେଇ ପ୍ରଶ୍ନ ଉଠିଲା, ୩୨ ଜଣଙ୍କ ବରିଷ୍ଠତାକୁ ଅଣଦେଖା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ବିଚାରପତି ସଂଜୀବ ଖାନ୍ନା ଏବଂ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦିନେଶ ମାହେଶ୍ବରୀଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସୁପ୍ରିମ ‌େକାର୍ଟ କଲେଜିୟମ ସୁପାରିସକୁ ଗ୍ରହଣ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ନିଯୁକ୍ତ କରିଛନ୍ତି। ଆଜି ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଆଜିର ଏହି ନିଯୁକ୍ତିକୁ ନେଇ ପୁଣି ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। କାରଣ ଏହାପୂର୍ବରୁ ଗତମାସ କଲେଜିୟମ ଯେଉଁ ଦୁଇ ବିଚାରପତିଙ୍କ ନାମ ସୁପାରିସ କରିଥିଲେ ସେଥିରେ ପୁଣି ପରିବର୍ତନ କରିଥିଲେ। ସେମାନଙ୍କ ବଦଳରେ ଅନ୍ୟ ଦୁଇ ଜଣ ବିଚାରପତିଙ୍କ ନାମ ସୁପାରିସ କରିଥିଲେ। ଆଜି ଏହି ଦୁଇ ଜଣ ବିଚାରପତିଙ୍କ ନାମକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ତେବେ କଲେଜିୟମର ଏଭଳି ନିଷ୍ପତ୍ତି ନେଇ ଆପତ୍ତି ଉଠାଇଛନ୍ତି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏସ.କେ. କୌଲ, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଆରଏମ୍ ଲୋଧା ଏବଂ ଭାରତୀୟ ବାର କାଉନସିଲ। ବିଭିନ୍ନ ହାଇକୋର୍ଟ ର ୩୨ ଜଣ ବିଚାରପତିଙ୍କ ବରିଷ୍ଠତାକୁ ଅଣଦେଖା କରି ଜଣେ ବିଚାରପତିଙ୍କୁ ସୁପ୍ରିମ କୋର୍ଟରେ ନିଯୁକ୍ତି କରଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଆଜିର ଏହି ନିଯୁକ୍ତିକୁ ଭାରତୀୟ ବିଚାର ବିଭାଗୀୟ ଇତିହାସ‌େରେ କଳାଦିନ ବୋଲି ସେମାନେ କହିଛନ୍ତି।

କଲେଜିୟମ କେଉଁ ଆଧାରରେ ଏହି ଦୁଇ ବିଚାରପତିଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଚାରପତି ଏସ୍‌.କେ. କୌଲ। ସେ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କୁ ପତ୍ର ଲେଖିଛନ୍ତି। ବରିଷ୍ଠତା ଭିତ୍ତିରେ ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଦୀପ ନନ୍ଦରାଜୋଗ ଆସୁଥିଲେ ମଧ୍ୟ ତାଙ୍କୁ ଅଣଦେଖା କରି ଜଷ୍ଟିସ ଖାନ୍ନାଙ୍କ ନାମକୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି କରିବା ପାଇଁ ସୁପାରିସ କରିବା ଠିକ୍‌ ହୋଇନାହିଁ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ଦ୍ବାରା ସୁପ୍ରିମ୍‌ କୋର୍ଟ କଲେଜିୟମକୁ ନେଇ ଲୋକଙ୍କ ପାଖକୁ ଭୁଲ୍‌ ବାର୍ତ୍ତା ଯିବ ବୋଲି ସେ ଚେତାଇ ଦେଇଛନ୍ତି। ଅନ୍ୟପକ୍ଷରେ କଲେଜିୟମର ଏଭଳି ସୁପାରିସକୁ ନେଇ ପୂର୍ବତନ ପ୍ରଧାନ ବିଚାରପତି ଆରଏମ୍‌ ଲୋଧା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କଲେଜିୟମ ଏକ ସଂସ୍ଥା ଭଳି କାର୍ଯ୍ୟ କରିବା ଉଚିତ ଏବଂ ଏଥିରେ ପାରଦର୍ଶିତା ରହିବା ଦରକାର। କଲେଜିୟମ କୌଣସି ନିଷ୍ପତ୍ତିକୁ ମନମୁଖି ଭାବେ ବଦଳାଇ ପାରିବ ନାହିଁ, ଏହା ପଛରେ ଥିବା କାରଣ ସ୍ପଷ୍ଟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି କୈଳାସ ଗମ୍ଭୀର ମଧ୍ୟ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି କଲେଜିୟମର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ୩୨ ଜଣ ବିଚାରପତିଙ୍କ ବରିଷ୍ଠତାକ୍ରମକୁ ଅଣଦେଖା କରି ବିଚାରପତି ଦିନେଶ ମାହେଶ୍ବରୀ ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି କରାଯିବା ପାଇଁ ହୋଇଥିବା ସୁପାରିସ ଗ୍ରହଣୀୟ ନୁହେଁ ବୋଲି ସେ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଡିସେମ୍ବରରେ କଲେଜିୟମ ସୁପାରିସ୍‌ ସଂକ୍ରାନ୍ତରେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଜାନୁଆରିରେ କିଭଳି ବଦଳିଲା ବୋଲି ପ୍ରଶ୍ନ କରାଯାଇଛି। ପୂର୍ବତନ ସଲିସିଟର ଜେନେରାଲ ସୋଲି ସୋରାବଜି ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗଇ ଏବଂ ଅନ୍ୟ ୪ ଜଣ ବରିଷ୍ଠ ବିଚାରପତି ଏ.କେ. ସିକ୍ରି, ଏସ୍‌.ଏ. ବୋବଡେ, ଏନ୍‌ ଭି ରମଣ ଏବଂ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ୫ ଜଣିଆ କଲେଜିୟମ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦିନେଶ ମାହେଶ୍ବରୀ ଏବଂ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମକୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ତେବେ ଏହା ପୂର୍ବରୁ ଗତ ଡିସେମ୍ବରରେ ଅନୁଷ୍ଠିତ କଲେଜିୟମ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଏବଂ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରଦୀପ ନନ୍ଦରାଜୋଗଙ୍କ ନାମକୁ ସୁପାରିସ ପାଇଁ ଚୟନ କରାଯାଇଥିଲା। ତେବେ ଗତ ୧୦ ତାରିଖରେ କଲେଜିୟମର ଆଉ ଏକ ବୈଠକ ବସିଥିଲା। ଏଥି‌େରେ ପୂର୍ବ ସୁପାରିସକୁ ଫେରାଇ ଅଣାଯାଇ ଅନ୍ୟ ଦୁଇ ବିଚାରପତିଙ୍କ ନାମ ସୁପାରିସ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର