ସମାଧାନ ବାଟ ଫିଟୁଛି

ପ୍ରଧାନ ବିଚାରପତିଙ୍କୁ ଭେଟିଲେ ବାର୍‌ କାଉନ୍‌ସିଲ ପ୍ରତିନିଧି
ଅସନ୍ତୁଷ୍ଟ ବିଚାରପତିମାନଙ୍କ ସହ ବି ଆଲୋଚନା ସଫଳ
ସୋମବାର ସଂଧ୍ୟା ସୁଦ୍ଧା ବିବାଦର ସମାଧାନ ନେଇ ଆଶା

ନୂଆଦିଲ୍ଲୀ : ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରଭାର ବଣ୍ଟନ ଶୈଳୀକୁ ୪ ଜଣ ବରିଷ୍ଠ ବିଚାରପତିଙ୍କ ବିରୋଧ ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟରେ ସୃଷ୍ଟି ହୋଇଥିବା ସଙ୍କଟ ଦୂର ହେବାର ବାଟ ଫିଟିଛି। ଆଜି ଦିନସାରା ଏ ନେଇ କସରତ ପରେ ସଂଧ୍ୟାରେ ଭାରତୀୟ ବାର୍‌ କାଉନ୍‌ସିଲ (ବିସିଆଇ)ର ୭ ଜଣିଆ ପ୍ରତିନିଧି ଦଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ୫୦ ମିନିଟ୍‌ ଧରି ସେମାନଙ୍କ ଆଲୋଚନା ହୋଇଥିଲା। ‘ପ୍ରଧାନ ବିଚାରପତିଙ୍କ ସହ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ଆଲୋଚନା ହୋଇଥିଲା ଏବଂ ଖୁବ୍‌ ଶୀଘ୍ର ବିବାଦର ସମାଧାନ ହେବ’ ବୋଲି ବିସିଆଇ ଅଧ୍ୟକ୍ଷ ମନନ ମିଶ୍ର କହିଛନ୍ତି। ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ ସଭାପତି ବିକାଶ ସିଂହ ମଧ୍ୟ ଆଜି ପ୍ରଧାନ ବିଚାରପତିଙ୍କୁ ଭେଟି ଆଲୋଚନା କରିଛନ୍ତି ଏବଂ ବିବାଦର ସମାଧାନ ପାଇଁ ସଂଘ ପକ୍ଷରୁ ପାରିତ ହୋଇଥିବା ପ୍ରସ୍ତାବର ନକଲ ତାଙ୍କୁ ପ୍ରଦାନ କରିଛନ୍ତି।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବିବାଦର ପରିସମାପ୍ତି ଘଟିବ ବୋଲି ଉଭୟ ବାର୍‌ କାଉନ୍‌ସିଲ ଅଧ୍ୟକ୍ଷ ଏବଂ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ ସଭାପତି କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସହ ଆଲୋଚନା ସଫଳ ହୋଇଥିବାରୁ ଏ ବାବଦରେ ନିର୍ଣ୍ଣାୟକ ପଦକ୍ଷେପ କାଲି ସୁଦ୍ଧା ନିଆଯିବ ବୋଲି ଜଣାପଡ଼ିଛି।

ଆଜି ବାର୍‌ କାଉନ୍‌ସିଲ ପ୍ରତିନିଧି ଦଳ ପ୍ରଥମେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଚେଲମେଶ୍ୱରଙ୍କୁ ତାଙ୍କ ବାସଭବନରେ ଭେଟି ମାମଲା ନେଇ ଆଲୋଚନା କରିଥିଲେ। ଆଲୋଚନା ପରେ ବିସିଆଇ ଅଧ୍ୟକ୍ଷ ମନନ ମିଶ୍ର କହିଥିଲେ ଯେ ଏହି ମାମଲାରେ ଅତ୍ୟନ୍ତ ସଂଜମ ରକ୍ଷା କରି ପଦକ୍ଷେପ ନେବାକୁ ହେବ। ଖୋଲା ଚିଠି, ବୟାନବାଜି ତୁରନ୍ତ ବନ୍ଦ ହେବା ଜରୁରୀ ବୋଲି ସେ କହିଛନ୍ତି। ଆଜି ବିଚାରପତି ଚେଲମେଶ୍ୱରଙ୍କୁ ବିଚାରପତି ନାଗେଶ୍ୱର ରାଓ ଏବଂ ବିଚାରପତି ଏସ୍‌ଏ ବୋବ୍‌ଡ଼େ ମଧ୍ୟ ତାଙ୍କ ବାସଭବନରେ ଭେଟିଥିଲେ। ବିଚାରପତି ବୋବଡ଼େ ପରବର୍ତ୍ତୀ ପ୍ରଧାନ ବିଚାରପତି ଦୌଡ଼ରେ ମଧ୍ୟ ଅଛନ୍ତି।

ବିଚାରପତି ଚେଲମେଶ୍ୱରଙ୍କୁ ଭେଟିବା ପରେ ବାର୍‌ କାଉନ୍‌ସିଲ ପ୍ରତିନିଧି ଦଳ ସୁପ୍ରିମ୍‌ କୋର୍ଟ ବିଚାରପତି ଅରୁଣ ମିଶ୍ର, ବିଚାରପତି ରଂଜନ ଗୋଗୋଇ ଏବଂ ବିଚାରପତି କୋରିଏନ୍‌ ଜୋସେଫ୍‌୍‌ଙ୍କୁ ମଧ୍ୟ ଭେଟିଥିଲେ। ସୁପ୍ରିମକୋର୍ଟରେ ମାମଲା ପରିଚାଳନାକୁ ନେଇ ଶୁକ୍ରବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାବିଦ୍ରୋହ ଘୋଷଣା କରିଥିବା ୪ ଜଣ ବରିଷ୍ଠ ବିଚାରପତିଙ୍କ ଅସନ୍ତୋଷର କାରଣ କେସ୍‌ ଆବଣ୍ଟନ ଥିବାରୁ ଏ ବାବଦରେ ବିସ୍ତତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଜଷ୍ଟିସ୍‌ ଜଷ୍ଟି ଚେଲମେଶ୍ୱର, ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ମଦନ ଭୀମରାଓ ଲୋକୁର ଏବଂ ଜଷ୍ଟିସ୍‌ କୋରିଅନ୍‌ ଜୋସେଫ୍‌ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ମାମଲା ପରିଚାଳନାକୁ ତୀବ୍ର ବିରୋଧ କରି ବୟାନ ରଖିଥିଲେ ଏବଂ ଏଭଳି ସ୍ଥିତି ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି ବୋଲି କହିଥିଲେ। ତେବେ ବିଚାରପତିମାନଙ୍କ ଏଭଳି ପଦକ୍ଷେପ ଆଦୌ ଆବଶ୍ୟକ ନଥିଲା ଏବଂ ଏଥିପାଇଁ ଅନ୍ୟ ବିକଳ୍ପ ରାସ୍ତା ଥିଲା ବୋଲି ବାର୍‌ କାଉନ୍‌ସିଲ କହିଛି। ସାର୍ବଜନୀନ ରାୟ ପ୍ରକାଶ ବଦଳରେ ଆଭ୍ୟନ୍ତରୀଣ ବ୍ୟବସ୍ଥା ଉପରେ ଭରସା କରି ବିଚାରପତିମାନେ କେସ୍‌ ଆବଣ୍ଟନ ମାମଲାର ସମାଧାନ କରିପାରିଥାନ୍ତେ ବୋଲି ବାର୍‌ କାଉନ୍‌ସିଲ ମତ ଦେଇଛି।

ସମ୍ବନ୍ଧିତ ଖବର