ସୁପାରିସ କରିପାରିଲାନି କଲେଜିୟମ

ସୁପ୍ରିମ୍‌ କୋର୍ଟରେ ଜଷ୍ଟିସ୍‌ ଯୋଶେଫଙ୍କ ନିଯୁକ୍ତି ମାମଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ କେ.ଏମ୍‌.ଯୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ନେଇ ସୁପାରିସ୍‌ କରିବାରେ ପୁଣିଥରେ କଲେଜିୟମ ବିଫଳ ହୋଇଛି। ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କ ଏହି କଲେଜିୟମ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। କିନ୍ତୁ ଜଷ୍ଟିସ୍‌ ଯୋଶେଫଙ୍କ ସହ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରାଯିବାକୁ ଥିବା ଅନ୍ୟ ବିଚାରପତିଙ୍କ ନାମକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ତେଣୁ ଏହି ବୈଠକରେ ମଧ୍ୟ ଜଷ୍ଟିସ୍‌ ଯୋଶେଫଙ୍କ ନାମକୁ ନେଇ କଲେଜିୟମ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିବାରେ ବିଫଳ ହୋଇଛନ୍ତି। ଗତ ଜାନୁଆରି ୧୦ ତାରିଖରେ କଲେଜିୟମ ଜଷ୍ଟିସ୍‌ ଯୋଶେଫ ଓ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଥିଲେ। କିନ୍ତୁ ଏପ୍ରିଲ ୨୬ ତାରିଖରେ ବରିଷ୍ଠତା ଆଧାରରେ କେନ୍ଦ୍ର ସରକାର ଜଷ୍ଟିସ୍‌ ଯୋଶେଫଙ୍କ ନିଯୁକ୍ତି ସୁପାରିସକୁ ଖାରଜ କରିବା ସହ ଇନ୍ଦୁ ମାଲହୋତ୍ରାଙ୍କ ସୁପାରିସକୁ ଗ୍ରହଣ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୨୦୧୬ରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି କରିବା ଘଟଣାରେ କେନ୍ଦ୍ର ସରକାରଙ୍କ ଆବେଦନକୁ ଜଷ୍ଟିସ୍‌ ଯୋଶେଫ ଖାରଜ କରିଥିବାରୁ ସୁପ୍ରିମକୋର୍ଟରେ ତାଙ୍କ ନିଯୁକ୍ତି ସୁପାରିସକୁ ଗ୍ରହଣ କରାଯାଇନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜେ.ଚେଲମେଶ୍ୱର, କୁରିଏନ୍‌ ଯୋଶେଫ ଆଦି ଏନେଇ କଲେଜିୟମରେ ପୁନଃ ବିଚାର କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ତେବେ, ଗତ ୧୧ ତାରିଖର କଲେଜିୟମ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ, ଜଷ୍ଟିସ୍‌ ଯୋଶେଫଙ୍କ ନାମ ସହିତ ରାଜସ୍ଥାନ, କୋଲକାତା,ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରାଯିବାର ଥିଲା। ସେହି ଆଧାରରେ ସୁପ୍ରିମକୋର୍ଟର ଚଳିତବର୍ଷର ଗ୍ରୀଷ୍ମ ଅବକାଶ ପୂର୍ବରୁ ଏହି ବିଚାରପତିଙ୍କ ନାମକୁ କେନ୍ଦ୍ର ସରକକାରଙ୍କ ନିକଟରେ ସୁପାରିସ କରିବାକୁ ବୁଧବାରର କଲେଜିୟମ ବୈଠକ ବସିଥିଲା।

ସମ୍ବନ୍ଧିତ ଖବର