ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଇଚ୍ଛା ମୃତ୍ୟୁ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଜଣେ ସମ୍ମାନର ସହ ମରିବାର ଅଧିକାର ରହିଛି ବୋଲି ଟିପ୍ପଣୀ କରି ସର୍ବୋଚ୍ଚ ଅଦାଲତ ଇଚ୍ଛାମୃତ୍ୟୁକୁ ଅନୁମତି ପ୍ରଦାନ କରିଛନ୍ତି। ଏଥି ସହିତ ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିବା ଏବଂ କୃତ୍ରିମ ଜୀବନ ସହାୟକ ପ୍ରଣାଳୀ ଲୋଡୁଥିବା ରୋଗୀର ବଞ୍ଚିବାର ଇଚ୍ଛା(ଲିଭିଂ ଓ୍ଵିଲ୍) ପାଇଁ ମଧ୍ୟ ନୀତିନିୟମ ନିର୍ଦ୍ଧାରଣ କରିଛନ୍ତି। ତେବେ ଏଭଳି ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଅନୁମତି କେଉଁ ପରିସ୍ଥିତିରେ ପ୍ରଦାନ କରାଯିବ ସେ ସମ୍ପର୍କରେ ଅଦାଲତ ସ୍ପଷ୍ଟ କରିବା ସହ ଏ ସଂକ୍ରାନ୍ତରେ ନିୟମାବଳୀ ସଂସଦରେ ପାରିତ ହେବା ପର୍ଯ୍ୟନ୍ତ ଆଜି ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତିନିୟମ ସକ୍ରିୟ ରହିବ ବୋଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଯୌନ ନିର୍ଯାତନାର ଶିକାର ହୋଇ କୋମା ଅବସ୍ଥାରେ ଦୀର୍ଘ ୪୦ ବର୍ଷ ଧରି ମୃତ୍ୟୁ ସହ ସଂଘର୍ଷ କରି ୬୬ ବର୍ଷୀୟା ସେବିକା ଅରୁଣା ସାନବାଗ୍ ୨୦୧୫ ମସିହାରେ ଆଖି ବୁଜିବା ପରେ ଇଚ୍ଛା ମୃତ୍ୟୁ ବିଷୟ ଜାତୀୟ ସ୍ତରରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା। ତେବେ ଏ ବାବଦରେ ସ୍ୱେଚ୍ଛାସେବୀ ସଂଗଠନ ‘କମନ୍ କଜ୍’ ଦ୍ୱାରା କରାଯାଇଥିବା ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଜଷ୍ଟିସ ଏକେ ସିକ୍ରି, ଏଏମ୍ ଖାନଓ୍ଵିଲକର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୁଷଣଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦୁଃସାଧ୍ୟ ରୋଗରେ ପୀଡ଼ିତ ଜଣେ ରୋଗୀ ଆଉ ଆରୋଗ୍ୟ ହେବାର ଆଶା ନାହିଁ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିବା ପରେ ସଂପୃକ୍ତ ରୋଗୀକୁ ଅଯଥାରେ କୃତ୍ରିମ ଜୀବନ ସହାୟକ ପ୍ରଣାଳୀରେ ରଖିବା ଲାଗି ମନା କରିବାର ଅଧିକାର ଦେବାକୁ ‘କମନ୍ କଜ୍’ ନିବେଦନ କରିଥିଲା। ଜଣେ ରୋଗୀକୁ ତା’ ଇଚ୍ଛା ବିରୋଧରେ ଏଭଳି କୃତ୍ରିମ ଉପାୟରେ ବଞ୍ଚାଇ ରଖିବା ତା’ ଶରୀର ପ୍ରତି ଅପମାନ ବୋଲି ‘କମନ୍ କଜ୍’ ପକ୍ଷରୁ ଯୁକ୍ତି କରାଯାଇଥିଲା।
ଏହା ଉପରେ ବିଚାର କରି ଖଣ୍ଡପୀଠର ବିଚାରପତିମାନେ ଚାରି ପ୍ରକାର ଭିନ୍ନ ମତାମତ ରଖିଥିବା ବେଳେ ‘ଲିଭିଂ ଓ୍ଵିଲ୍’ ପାଇଁ ସମସ୍ତେ ସହମତ ହୋଇଥିଲେ। ପ୍ରତ୍ୟେକ ମଣିଷର ସମ୍ମାନର ସହ ମୃତ୍ୟୁବରଣ କରିବାର ଅଧିକାର ରହିଛି। ଜଣେ ବ୍ୟକ୍ତିର ଯଦି ବଞ୍ଚିବାର କୌଣସି ପ୍ରକାର ସମ୍ଭାବନା ନାହିଁ ତେବେ ସେ ରୋଗଶଯ୍ୟାରେ ପଡ଼ି ଘାଣ୍ଟି ହେବା ଅପେକ୍ଷା ଯଦି ସେ ଶାନ୍ତିରେ ମରିବାକୁ ଚାହୁଥିଲେ ତା’ର ଇଚ୍ଛାକୁ ସମ୍ମାନ ଦେବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଯେବେ ଜୀବନର ପବିତ୍ରତା ନଷ୍ଟ ହୋଇଯାଏ, ଜୀବନର ଇନ୍ଦ୍ରଧନୁ ଯେତେବେଳେ ରଙ୍ଗହୀନ ହୋଇଯାଏ ଏବଂ ଜୀବନ ଜିଇଁବା କଷ୍ଟସାଧ୍ୟ ହୋଇପଡ଼େ ସେତେବେଳେ ଜଣଙ୍କୁ ସେହି କଷ୍ଟ ଅତିକ୍ରମ କରି ସମ୍ମାନର ସହ ମୃତ୍ୟୁ ଅନୁମତି ଦେବାରେ ଅସୁବିଧା ନାହିଁ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ଏଭଳି କ୍ଷେତ୍ରରେ କେତେକଙ୍କ ପାଇଁ ମୃତ୍ୟୁ ବି ଉତ୍ସବର ମୁହୂର୍ତ୍ତ ପାଲଟିଥାଏ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ଏଭଳି ‘ଲିଭିଂ ଓ୍ଵିଲ୍’ର କାର୍ଯ୍ୟକାରିତା ପାଇଁ ଅଦାଲତ କଡ଼ା ସର୍ତ୍ତ ରଖିଛନ୍ତି। ଜଣେ ରୋଗୀର ଉତ୍ତମ ମାନସିକ ଅବସ୍ଥାରେ ହିଁ ଏ ସଂକ୍ରାନ୍ତ ଦଲିଲ୍ ଗ୍ରହଣୀୟ ହେବ। ଅପରପକ୍ଷେ, ନିସ୍ତେଜ ଥିବା ରୋଗୀଟି ପ୍ରକୃତରେ ଆରୋଗ୍ୟଲାଭ କରିବାର ସମ୍ଭାବନା ଅଛି ନା ନାହିଁ ତାହା ଏକ ମେଡିକାଲ ବୋର୍ଡ ତର୍ଜମା କରି ଘୋଷଣା କରିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ସେହିପରି ରୋଗୀ ସମ୍ପର୍କୀୟଙ୍କର କୌଣସି ସମ୍ପତ୍ତିବାଡ଼ି ବିବାଦରେ ମଧ୍ୟ ‘ଲିଭିଂ ଓ୍ଵିଲ୍’ର ଅପବ୍ୟବହାର ଆଶଙ୍କା କରି ଅଦାଲତ ସତର୍କତା ଅବଲମ୍ବନ କରିଛନ୍ତି। କୌଣସି କ୍ଷେତ୍ରରେ ଆଗୁଆ ‘ଲିଭିଂ ଓ୍ଵିଲ୍’ ପ୍ରସ୍ତୁତ ହୋଇନଥିଲେ ରୋଗୀର ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।